ଦିଦିଙ୍କ ଗଡ଼ରେ ଗର୍ଜିଲେ ନଡ୍ଡା, କହିଲେ- ଅସହିଷ୍ଣୁତାର ଅନ୍ୟନାମ ମମତା ବାନାର୍ଜୀ, ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍‌ରେ ଜିତିବ ବିଜେପି

Published By : Prameya-News7 Bureau | December 09, 2020 IST

କୋଲକାତା ୦୯/୧୨: ବିଜେପିର ମିଶନ ପଶ୍ଚିମବଙ୍ଗ। କୋଲକାତାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ନଡ୍ଡାଙ୍କୁ କୋଲକାତାରେ ଭବ୍ୟ ସ୍ବାଗତ କରାଯାଇଛି। ଦିଦିଙ୍କ ଗଡ଼ରେ ପହଞ୍ଚି ଜୋରଦାର ଗର୍ଜିଛନ୍ତି ଜେ.ପି ନଡ୍ଡ। ନିର୍ବଚନୀ କାର୍ଯ୍ୟାଳୟ ସମେତ ୯ଟି କାର୍ଯ୍ୟାଳୟକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିବା ସହ ଏକ ରାଲିକୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ସମୟରେ ନଡ୍ଡା କହିଛନ୍ତି, ଅସହିଷ୍ଣୁତାର ଅନ୍ୟନାମ ମମତା ବାନାର୍ଜୀ। ରିବିନ୍ଦ୍ରନାଥ ଜୀ ଦେଶକୁ ଯେଉଁ ଦୃଷ୍ଟି ଦେଇଛନ୍ତି ତାହା କାହାକୁ ଅଛପା ନାହିଁ କିନ୍ତୁ ଏବେ ପଶ୍ଚିମବଙ୍ଗରେ ଅସହିଷ୍ଣୁତା ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଛନ୍ତି।

କାର୍ଯ୍ୟାଳୟ ସଂସ୍କାରର କେନ୍ଦ୍ର। ଅନ୍ୟ ଦଳଗୁଡ଼ିକ ପରିବାରକୁ ପାର୍ଟି କରିଥିବା ବେଳେ ବିଜେପି ପାଇଁ ପାର୍ଟି ହିଁ ପରିବାର । ଅନ୍ୟ ଦଳ ଭଳି ଟିଏମସି ବି ପରିବାରର ପାର୍ଟି ହୋଇସାରିଛି ବୋଲି ନଡ୍ଡା କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଲମ୍ବା ଲଢ଼େଇ ଲଢ଼ୁଛି। ପ୍ରଥମେ ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ କେବଳ ୪% ଥିବା ବେଳେ ୨୦୧୪ରେ ୨ଟି ସିଟ୍‌ରେ ବିଜୟ ସହିତ ଭୋଟ ପ୍ରତିଶତ ୧୮ରେ ପହଞ୍ଚିଥିଲା। ୨୦୧୯ରେ ୧୮ ସିଟ୍‌ରେ ବିଜୟ ସହ ଭୋଟ ପ୍ରତିଶତ ୪୦ରେ ପହଞ୍ଚିଥିଲା। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ୨୦୦ ସିଟ୍‌ରେ ବିଜୟ ହାସଲ କରିବ ବୋଲି ଜେ.ପି ନଡ୍ଡା କହିଛନ୍ତି।

ଚଳିତ ଥର ଜେ.ପି ନଡ୍ଡା ନିଜର ନିର୍ବାଚନୀ  ମିଶନର ଶୁଭାରମ୍ଭ ମମତାଙ୍କ ଗଡ଼ରୁ କରିବେ। ନଡ୍ଡା ଆଜି ମମତା ବାନାର୍ଜୀଙ୍କ ବିଧାନସଭା କ୍ଷେତ୍ର ଭବାନୀପୁରରେ ଜନସମ୍ପର୍କ ରାଲି କରିବାକୁ ଥିବା ବେଳେ ଗୁରୁବାର ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଗଡ଼ ଡାଏମଣ୍ଡ ହାର୍ବରରେ ଗର୍ଜିବେ। ଏହି ପ୍ରଚାର ଅଭିଯାନକୁ ବିଜେପି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ନାଁ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.