୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ବିଜେପି, ରାଜ୍ୟ ପ୍ରଭାରୀଙ୍କ ସହ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୈଠକ

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ:  ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ପାର୍ଟିର ରାଜ୍ୟ ପ୍ରଭାରୀଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ସେ ସଂଗଠନକୁ ଅଧିକ ମଜଭୁତ କରିବା ଉପରେ ଜୋର ଦେଇଛନ୍ତି । ଏହାସହ ୨୦୨୩ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି ।

ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀଙ୍କ ସହ ଜେପି ନଡ୍ଡାଙ୍କ ଏହା ପ୍ରଥମ ବୈଠକ । ନଡ୍ଡାଙ୍କ ସହ ଏହି ବୈଠକରେ ବିଜେପିର ସଂଗଠନ ମହାସଚିବ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିଥିଲେ । ସୂତ୍ର ଅନୁସାରେ, ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି। ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ, ବିଜେପି ମହାସଚିବ ଅରୁଣ ସିଂ, ବିନୋଦ ତାୱେଡ, ଅରୁଣ ଚୁଗ ଏବଂ ସୁନୀଲ ବଂସଲ ଉପସ୍ଥିତ ଥିଲେ।

ଚଳିତ ମାସ ଆରମ୍ଭରେ ବିଜେପି ବିନୋଦ ତାୱଡେଙ୍କୁ ବିହାର, ରୁପାଣୀଙ୍କୁ ପଞ୍ଜାବ ଏବଂ ବିଳ୍ପବ ଦେବଙ୍କୁ ହରିୟାଣାର ପ୍ରଭାରୀ ନିଯୁକ୍ତ କରିଥିଲା। ସେହିପରି ସୁନୀଲ ବଂସଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ ଭାବେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଓଡ଼ିଶାର ଦାୟିତ୍ୱ ଦିଆଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.