‘ମୋଦୀ ଆସିବେ, ଆଉ ନିର୍ବାଚନ ଜିତିଯିବୁ...', ଏମିତି କହି ବିଜେପି ନେତାଙ୍କୁ ମନ୍ତ୍ର ଦେଲେ ପିଏମ ମୋଦୀ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ବୈଠକରେ ଦ୍ୱିତୀୟ ତଥା ଶେଷ ଦିନରେ ପିଏମ ମୋଦୀ କାର୍ଯ୍ୟକାରିଣୀଙ୍କୁ ସମ୍ୱୋଧିତ କରିଛନ୍ତି । ବିଜେପି ନେତାଙ୍କୁ ବିଜୟର ମନ୍ତ୍ର ଦେଇ ଅତିଆତ୍ମବିଶ୍ୱାସୀ ନ ହେବା ପାଇଁ ପିଏମ ମୋଦୀ ପରାମର୍ଶ ଦେଇଛନ୍ତି । ବିଜେପି ନେତା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ପିଏମ ମୋଦୀଙ୍କ ସମ୍ୱୋଧନ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।   

'ଅତିଆତ୍ମବିଶ୍ୱାସରେ ରହିବାର ଆବଶ୍ୟକତା ନାହିଁ '

ଦେବେନ୍ଦ୍ର ଫଡଣବିସଙ୍କ କହିବା ଅନୁସାରେ ପିଏମ ମୋଦୀ କହିଛନ୍ତି, 'ଅତିଆତ୍ମବିଶ୍ୱାସୀ ହେବା ଦ୍ୱାରା ନିର୍ବାଚନରେ ହାରୁଛୁ ଏଥିପାଇଁ ଅତିଆତ୍ମବିଶ୍ୱାସରେ ରହିବାର ଆବଶ୍ୟକତା ନାହିଁ । ମୋଦୀ ଆସିବେ ଆଉ ନିର୍ବଚନୀ ଜିତିଯିବୁ, ଏହି ଚିନ୍ତାଧାର ଠିକ୍ ନୁହେଁ'। ପ୍ରତିଦିନ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ମିଳିବାକୁ ପ୍ରୟାସ କରିବାକୁ ପିଏମ ମୋଦୀ ପରାମର୍ଶ ଦେଇଛନ୍ତି ।

'ଆମକୁ ଦେଶ ଏବଂ ସମାଜକୁ ବଦଳାଇବାର ଅଛି'

ଏହାସହ ପିଏମ ମୋଦୀ କହିଛନ୍ତି,'ସମାଜର ସବୁ ଅଙ୍ଗ ସହ ଯୋଡି ହେବାର ଅଛି । କେବଳ ଭୋଟ ବିଷୟରେ ଚିନ୍ତା କର ନାହିଁ, ଆମକୁ ଦେଶ ଏବଂ ସମାଜକୁ ବଦଳାଇବାର ଅଛି, ଏହା ଆମର କର୍ତ୍ତବ୍ୟ । କିଏ ଆମକୁ ଭୋଟ ଦେଉଛି କି ନାହିଁ ତାହା ଜରୁରୀ ନୁହେଁ, ଏହାଠୁ ଅଧିକ ଜରୁରୀ ସମସ୍ତଙ୍କ ମିଶି ସେମାନଙ୍କୁ ନିଜ ସହ ଯୋଡିବା । ଆମ ଦଳରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାମ ହେଉଛି'। ଫଡଣବିସ ମିଡିଆକୁ କହିଥିଲେ ଯେ ଆଜିର ଭାଷଣ କୌଣସି ନେତା ନୁହେଁ ବରଂ ଜଣେ ଷ୍ଟେଟ୍ସମ୍ୟାନଙ୍କ ଭାଷଣ ଥିଲା ଯେଉଁଥିଲେ ପାର୍ଟିରୁ ଉପରେ ରାଷ୍ଟ୍ର ଆସୁଛି ।  

ପିଏମ ମୋଦୀ ନିଜ ସମ୍ୱୋଧନରେ କହିଛନ୍ତି, ‘ଯେଉଁମାନେ ସଙ୍କଳ୍ପ ନିଅନ୍ତି, ସେମାନେ ହିଁ ଇତିହାସ ରଚନ୍ତି । ବିଜେପି ସଂକଳ୍ପ ନେବ, ଇତିହାସ ରଚିବ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.