ରବିବାର ଶପଥ, ଏବେ ମନ୍ତ୍ରୀପଦ ଛାଡିବେ କେରଳର ଏକମାତ୍ର ବିଜେପି ସାଂସଦ, କହିଲେ କାରଣ

Published By : Prameya-News7 Bureau | June 10, 2024 IST

ତିରୁବନ୍ତପୁରମ ୧୦/୦୬: କେରଳର ପ୍ରଥମ ବିଜେପି ସାଂସଦ ସୁରେଶ ଗୋପୀ । ରବିବାର ମୋଦୀଙ୍କ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ । ହେଲେ ଶପଥ ନେବାର ୨୪ ଘଣ୍ଟା ପୁରିନି ଛାଡିବାକୁ ବସିଛନ୍ତି ମନ୍ତ୍ରୀ ପଦ । ଗଣମାଧ୍ୟମରେ ନିଜର ପ୍ରତିକ୍ରିୟ ଦେି କହିଛନ୍ତି ଯେ, ସେ କେବେ ମନ୍ତ୍ରୀ ପଦ ମାଗିନଥିଲେ । ତେଣୁ ଖୁବ ଶୀଘ୍ର ତାଙ୍କୁ ମନ୍ତ୍ରୀ ପଦରୁ ମୁକ୍ତି ମିଳିବ ବୋଲି ତାଙ୍କର ବିଶ୍ୱାସ । 

ତେବେ ମନ୍ତ୍ରୀ ପଦ ଛାଡିବା ପଛର କାରଣ ବି କଣ ଜାଣିଲେ ହୋଇଯିବେ ତାଜୁବ । କାହିଁକି ଛାଡିବେ ବୋଲି ପଚାରିବାରୁ ସୁରେଶ କହିଛନ୍ତି, ସେ ଫିଲ୍ମ ସାଇନ୍ କରିଛନ୍ତି । ଯାହାକୁ ସେ କୌଣସି ମତେ ପୂରଣ କରିବାକୁ ଚାହାଁନ୍ତି । ସେ ତ୍ରିଶୁରର ସାଂସଦ ଭାବେ ଲୋକଙ୍କ ସେବା କରିବାରେ ଖୁସି ପାଇବେ, ମନ୍ତ୍ରୀ ଭାବେ ନୁହେଁ । 

ସୁରେଶ ଗୋପୀ ତ୍ରିଶୁର ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇ ବିଜେପିର ପ୍ରଥମ ସାଂସଦ ଭାବେ ରେକର୍ଡ କରିଛନ୍ତି । ସୁରେଶ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ସୁନୀଲ କୁମାରଙ୍କୁ ୭୪ ହଜାର ୬୮୬ ଭୋଟରେ ପରାଜିତ କରି ସାଂସଦ ହୋଇଛନ୍ତି । ସୁରେଶ ଗୋପୀ କହିଛନ୍ତି, ‘ ମୋର ଉଦ୍ଦେଶ୍ୟ ସାଂସଦ ରୂପେ ଦାୟିତ୍ୱ ସମ୍ପାଦନ କରିବା । ମୁଁ କିଛି ମାଗିନି । ମୋର ମନ୍ତ୍ରୀ ପଦ ଆବଶ୍ୟକ ନାହିଁ ବୋଲି ମୁଁ ଆଗରୁ କିହିଛି । 

ମୋର ବିଶ୍ୱାସ ମୋତେ ଖୁବ ଶୀଘ୍ର ଏହି ପଦରୁ ମୁକ୍ତ କରିଦିଆଯିବ । କାରଣ ମୋତେ ରାଜିନୀତି ସହ କୌଣସି ମତେ ଫିଲ୍ମ କରିବାର ଅଛି’ । ଗତ ନିର୍ବାଚନରେ ସୁରେଶ ଗୋପୀ ଜିତିଥିବା ଥ୍ରୀସୁର ଆସନ କଂଗ୍ରେସକୁ ଯାଇଥିଲା । ଲୋକସଭା ସାଂସଦ ଭାବରେ ନିର୍ବାଚିତ ହେବା ପୂର୍ବରୁ ସୁରେଶ ଗୋପୀ ମଧ୍ୟ ରାଜ୍ୟସଭା ସାଂସଦ ଥିଲେ । 

ସେ ୨୦୧୬ ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ଥିଲା। ସୁରେଶ ଗୋପୀ ମୂଳତଃ କେରଳର ଆଲାପୁଜା ସହରର । ସେ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ । ସେ କୋଲାମରୁ ବିଜ୍ଞାନ ବିଷୟ ଉପରେ ଡିଗ୍ରୀ ହାସଲ କରିଥିଲେ ଏବଂ ଇଂରାଜୀରେ ମାଷ୍ଟର କରିଥିଲେ। ସୁରେଶ ଚଳଚ୍ଚିତ୍ର ସହିତ ମଧ୍ୟ ଜଡିତ । ସେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ।

ଅନେକ ଚଳଚ୍ଚିତ୍ରରେ ସୁରେଶ ଗୋପୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ୧୯୯୮ ଚଳଚ୍ଚିତ୍ର କଲିୟାଟମ୍ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେ ଦୀର୍ଘ ଦିନ ଧରି ଟିଭି ସୋ ମଧ୍ୟ ଆୟୋଜନ କରିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.