କ୍ୟାବିନେଟ୍‌ରୁ ମନୀଷ ସିସୋଦିଆଙ୍କୁ ବହିସ୍କାର କରିବାକୁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବେ ଦିଲ୍ଲୀ ବିଜେପି ବିଧାୟକ

Published By : Prameya-News7 Bureau | September 05, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର କ୍ୟାବିନେଟ୍‌ରୁ ମନୀଷ ସିସୋଦିଆଙ୍କୁ ବାହାର କରିବା ପାଇଁ ଆସନ୍ତାକାଲି(ସେପ୍ଟେମ୍ବର-୬) ରାଷ୍ଟ୍ରପତିଙ୍କୁ ଭେଟିବେ ଦିଲ୍ଲୀ ବିଜେପି ବିଧାୟକ। ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ କରି ମନୀଷଙ୍କ ବିରୋଧରେ ସିବିଆଇ ମାମଲା କରିବା ପରେ ଦିଲ୍ଲୀ ବିଜେପି ବିଧାୟକମାନେ ଏମିତି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତାକାଲି ଦିଲ୍ଲୀର ୫ ବିଜେପି ବିଧାୟକ ଦିନ୧୧ଟା ବେଳେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେବେ।

ଏହା ପୂର୍ବରୁ ବିଜେପି ମନୀଷଙ୍କ ବିରୋଧରେ ଷ୍ଟିଙ୍ଗ୍ ଅପରେସନ କରି ଏକ ଭିଡିଓ ରିଲିଜ୍ କରିଥିଲା। ଯେଉଁଥିରେ ମଦ ଦୁର୍ନୀତିରେ କରିଥିବା ଜଣେ ବ୍ୟକ୍ତିଙ୍କ ବାପା ଲାଇସେନ୍ସ ପାଇବା ପାଇଁ କମିଶନ ଦେଇଥିବା ସ୍ୱୀକାର କରିଥିଲା। ଭିଡିଓରେ ଦେଖାଯାଇଥିଲା ଯେ ଲାଭର ୮୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ ଓ ତାଙ୍କ ବନ୍ଧୁମାନଙ୍କ ପାଖକୁ ଯାଉଥିଲା। ସେମାନେ ପ୍ରଥମେ ୮୦ ପ୍ରତିଶତ ଲାଭ ମାଗି ରଖୁଥିଲେ. ପରେ ୨୦ ପ୍ରତିଶତ ବିକ୍ରି କରିବାକୁ କହୁଥିଲେ ବୋଲି ସୋମବାର ବିଜେପି ପ୍ରବକ୍ତା ସମ୍ବିତପାତ୍ର ଅଭିଯୋଗ କରିଥିଲେ।

ଏହାର ଉତ୍ତର ଦେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି “ ସିବିଆଇ ମୋ ବିରୋଧରେ କିଛି ନପାଇବାରୁ ମୋତେ ନିକଟରେ କ୍ଲିନ୍‌ଚିଟ୍ ଦେଇଛି। ହେଲେ ବିଜେପି କହୁଛି ସେମାନେ ଷ୍ଟିଙ୍ଗ ଅପରେସନ କରିଛନ୍ତି। ଏଥିରେ ସେମାନେ ଜଣଙ୍କୁ କାର ଭିତରେ ବସାଇ ପ୍ରଶ୍ନ କରିଛନ୍ତି। ଏହା କଣ ଗୋଟେ ଷ୍ଟିଙ୍ଗ୍ ? ଏହା ଏକ ଜୋକ୍। ଏଭଳି ଭିଡିଓ ମୋ ପାଖରେ ବି ଅନେକ ଅଛି। ମୁଁ ବି ଆପଣଙ୍କୁ ଦେଇପାରିବି ଆପଣ ବି ସେମାନଙ୍କ ଭଳି ଭିଡିଓକୁ ଚଲାଇ ପାରିବେ।”     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.