ଗୋମୁତ୍ର ଓ ଗୋବର ଦ୍ୱାରା ଭଲ ହେବେ କରୋନା ରୋଗୀ, ଯଜ୍ଞ କଲେ ମରିଯିବେ ଭାଇରସ- ବିଜେପି ବିଧାୟିକା
2/03/2020 at 10:11 PM

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ: ସାରା ବିଶ୍ୱରେ କରୋନା ଭାଇରସର ମୁକାବିଲା ପାଇଁ ବିଭିନ୍ନ ଉପାୟର ସନ୍ଧାନ ଚାଲିଛି। କିନ୍ତୁ ଡାକ୍ତର କିମ୍ବା ବୈଜ୍ଞାନିକମାନେ ଏଥିରେ ସଫଳ ହୋଇନାହାଁନ୍ତି। ଏବେସୁଦ୍ଧା କରୋନା ୩୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ମଧ୍ୟରେ ଆସାମ ବିଜେପିର ଜଣେ ବିଧାୟକ ଏହି ଭାଇରସର ମୁକାବିଲା କରିବାକୁ ଏକ ଉପାୟ କହିଛନ୍ତି। ଗୋମୁତ୍ର ଓ ଗୋବର ଦ୍ୱାରା କରୋନାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।

ବିଜେପି ବିଧାୟିକା ସୁମନ ହରିପ୍ରିୟା କହିଛନ୍ତି ଯେ, ଗୋମୁତ୍ର ଓ ଗୋବର ଦ୍ୱାରା କ୍ୟାନସର ଭଳି ଦୂରାରୋଗ୍ୟରୁ ଭଲ ହୋଇପାରିବ। ରାଜ୍ୟ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବାଂଲାଦେଶୀ ତସ୍କରୀ ସମୟରେ ସୁମନ କହିଥିଲେ ଯେ, ଆମେ ସମସ୍ତେ ଗୋବର ଓ ଗୋମୁତ୍ରର କେତେ ଫାଇଦା ରହିଛି ଜାଣିଛନ୍ତି। ଗୋମୁତ୍ରକୁ କ୍ଷତ ସ୍ଥାନରେ ସଂକ୍ରମଣ ନ ହେବା ପାଇଁ ବ୍ୟବହାର କରାଯାଏ। ଏପରି ଭାବେ ଏଥିରୁ କରୋନା ଭାଇରସ ଆକ୍ରାନ୍ତକୁ ମଧ୍ୟ ଠିକ କରାଯାଇ ପାରିବ।

ସେ ଆହୁରି କହିଛନ୍ତି ଯେ, କରୋନା ଭାଇରସ ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ। ହୋମ ଓ ଯଜ୍ଞ କରିବା ଦ୍ୱାରା ଏହି ବାଇରସ ବ୍ୟାପି ନଥାଏ। ଯଜ୍ଞର ୫ କିମି ପରିଧୀ ମଧ୍ୟରେ ସମସ୍ତ ଜୀବାଣୁ ମରିଯାଇଥାନ୍ତି। ସମସ୍ତେ ଯଜ୍ଞ କଲେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ନାଶ ହେବ। ଭାରତ ସରକାରଙ୍କ ତରଫରୁ ଏପରି କିଛି ଉଦ୍ୟମ ହେଉ ବୋଲି ସେ କହିଛନ୍ତି।