ଅଚାନକ ପାର୍ଟିରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଲେ ଗୁଜରାଟର ଏହି ବିଜେପି ବିଧାୟକ, ହେବେ ସ୍ୱାଧୀନ ପ୍ରାର୍ଥୀ

Published By : Prameya-News7 Bureau | November 13, 2022 IST

ଗାନ୍ଧିନଗର ୧୩।୧୧: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ରବିବାର ସେତେବେଳେ ଝଟକା ଲାଗିଲା ଯେତେବେଳେ ଦଳର ୬ ଥର ବିଧାୟକ ନିର୍ବାଚିତ ବିଧାୟକ ଦଳରୁ ଇସ୍ତଫା ଦେଲେ। ମଧୁ ଶ୍ରୀବାସ୍ତବ ନାମକ ଏହି ବିଧାୟକ ଗତ ୬ ଥର ହେଲା ବଡୋଦରାର ୱାଘୋଡିଆ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଉଥିଲେ। ତେବେ ଚଳିତ ବିଧାନସଭା ନିର୍ବାଚନରେ ପାର୍ଟି ତାଙ୍କୁ ଟିକେଟ୍ ଦେଇ ନାହିଁ। ଏଣୁ ମଧୁ ଅସନ୍ତୁଷ୍ଟ ହୋଇ ପାର୍ଟିରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି।

ତେବେ ମଧୁଙ୍କ ଇସ୍ତଫା ଦେବା ଯେତେବଡ ପ୍ରସଙ୍ଗ ନୁହେଁ ତାଙ୍କ ଇସ୍ତଫାର ସମୟ ହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ମଧୁ ୬ ଥର ହେଲା ବିଧାୟକ ନିର୍ବାଚିତ ହୋଇ ଆସୁଥିବା ବେଳେ ଲୋକଙ୍କ ମଧ୍ୟରେ ତାଙ୍କର ଦବଙ୍ଗ ବିଧାୟକର ଛବି ରହିଛି। ସେ କହିଛନ୍ତି ଯେ ଆଜିପର୍ଯ୍ୟନ୍ତ ବିଧାୟକ ଥିବା କାଳରେ ୧ ଟଙ୍କାର ବି ଦୁର୍ନୀତି କରି ନାହାନ୍ତି। ପାର୍ଟି ମୋର ଟିକେଟ୍ କାଟି ଅପମାନ କରିଥିବା ସେ ଅଭିଯୋଗ କରିଛନ୍ତି। ପାର୍ଟିର ଏହି ନିଷ୍ପତ୍ତିରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଅସନ୍ତୁଷ୍ଟ। ଏଣୁ ସେମାନେ ଦଳରୁ ଇସ୍ତଫା ଦେଇ ନିର୍ଦ୍ଦଳୀୟ ନିର୍ବାଚନ ଲଢିବା ଲାଗି ଦେଇଥିବା ପରାମର୍ଶ ଅନୁସାରେ ପଦକ୍ଷେପ ନେଇଛି ବୋଲି କହିଛନ୍ତି।

ଦଳରୁ ଟିକେଟ ନ ମିଳିବାରୁ ମଧୁଙ୍କ ସମର୍ଥକଙ୍କ ସମେତ ପରିବାରରେ ମଧ୍ୟ ଅସନ୍ତୋଷ ଦେଖା ଦେଇଛି। ମଧୁଙ୍କ ଝିଅ ନିଲମ ଦଳ  ମୋ ପିତାଙ୍କ ଟିକେଟ କାଟି ତାଙ୍କ ସଚ୍ଚୋଟତା ପ୍ରତି ଅପମାନ କରିଥିବା କହିଛନ୍ତି। ଏଣୁ ଏଥର ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ସମସ୍ତଙ୍କୁ ଜିତି ଦେଖାଇ ଦେବେ ବୋଲି କହିଛନ୍ତି ନିଲମ। ସେ କହିଛନ୍ତି ଯେ ମୋ ବାପାଙ୍କ ଯୋଗୁ ତାଲୁକ ଜିଲ୍ଲା ପଞ୍ଚାୟତରେ ଦଳର ୨୦ରୁ ୧୮ ପ୍ରାର୍ଥୀ ଜିତିପାରିଥିଲେ। ପିତାଙ୍କ ସ୍ଥାନରେ ଟିକେଟ ପାଇଥିବା ଅଶ୍ୱିନ ପଟେଲ ପଞ୍ଚାୟତ ନିର୍ବାଚନ ଜିତି ପାରିନଥିଲେ ସେ ବିଧାୟକ ନିର୍ବାଚନ କଣ ଲଢିବେ ବୋଲି ନିଲମ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.