ଇମ୍ଫାଲ ୦୫/୦୫: ମଣିପୁରରେ ଜାରି ରହିଛି ହିଂସା। ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ବିବାଦ ରାଜ୍ୟର ଅନେକ ଜିଲ୍ଲାରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଗୁରୁବାର ଇମ୍ଫାଲରେ ଜଣେ ବିଜେପି ବିଧାୟକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକ ବୁଙ୍ଗଜାଗିନ୍ ଓ୍ବାଲ୍ଟେଙ୍କୁ ଆକ୍ରମଣ ହୋଇଛି।
ଆକ୍ରମଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ରିମ୍ସ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଥାନଲୋନ୍ରୁ ୩ ଥରର ବିଧାୟକ ବୁଙ୍ଗଜାଗିନ୍ ଓ୍ବାଲ୍ଟେଙ୍କ ସମେତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସେଠାରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ସହ ବୈଠକ ପରେ ସରକାରୀ ବାସଭବନକୁ ଫେରୁଥିବା ସମୟରେ ହିଁ ବିଜେପି ବିଧାୟକ ବୁଙ୍ଗଜାଗିନ୍ ଓ୍ବାଲ୍ଟେଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି ।
ସୂଚନାଥାଉକି, ଆଦିବାସୀ ଏବଂ ଅଣ-ଆଦିବାସୀ ସମୁଦାୟଙ୍କ ମଧ୍ୟରେ ହିଂସା ଯୋଗୁଁ ଅସ୍ଥିର ହୋଇପଡ଼ିଛି ମଣିପୁର। ମୈତୈ ସମୁଦାୟକୁ ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗରେ ସାମିଲ ଦାବିକୁ ବିରୋଧ କରି ଆଦିବାସୀ ସମୂହ ପକ୍ଷରୁ ଚାଲିଥିବା ବିକ୍ଷୋଭ ଭୟଙ୍କର ରୂପ ନେଇଛି । ହିଂସାକାଣ୍ଡ ରୋକିବା ପାଇଁ ରାଜ୍ୟ ସରକାର ‘ଜରୁରୀ ସ୍ଥିତି’ରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ (ସୁଟ୍ ଆଟ୍ ସାଇଟ୍) ନିର୍ଦ୍ଦେଶ ଦେଇଛନ୍ତି ।
ହିଂସାକାଣ୍ଡ ଘଟିଥିବା ଅଞ୍ଚଳଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ୮ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି । ଆର୍ମି ଏବଂ ଆସାମ ରାଇଫଲ୍ସର ୫୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏଥିସହ ୯ ହଜାର ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ୍ ସିଂହଙ୍କ ସହ ଫୋନ୍ ରେ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ଏକ ଭିଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।