ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ

Published By : Prameya-News7 Bureau | July 03, 2022 IST

ନୂଆଦିଲ୍ଲୀ,୦୩/୦୭: ହାଇଦ୍ରାବାଦରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଅନେକ ବଡ ବଡ ନେତା ଯୋଗ ଦେଇଛନ୍ତି । ତେବେ ରବିବାର ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଦଳର ରାଜନୈତିକ ସଙ୍କଳ୍ପ ମଧ୍ୟ ଆଗତ ହେବ । ଯାହା ସର୍ବସମ୍ମତି କ୍ରମେ ପାରିତ ହେବ ବୋଲି ଆଶା କରାଯାଉଛି ।

ସୂଚ୍ରାନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ରାଜନୈତିକ ସଙ୍କଳ୍ପ ଆଗତ କରିବେ । ଏହାପରେ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ରାଜନୈତିକ ସଙ୍କଳ୍ପ ଉପରେ ନିଜର ବିଚାର ରଖିବେ ।

ରାଜନୈତିକ ସଙ୍କଳ୍ପ କଣ

ରାଜନୈତିକ ସଙ୍କଳ୍ପ ହେଉଛି ଏକ ଦସ୍ତାବିଜ ଯାହାକୁ ବିଜେପି ନିଜର ସବୁଠୁ ବଡ ବୈଠକରେ ଆଗତ କରିଥାଏ । ଏଥିରେ ପାର୍ଟିର ବିଚାରଧାରା, ସଫଳତା ବାବଦରେ ଉଲ୍ଲେଖ ରହିଥାଏ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମିଳିଥିବା ବିଜୟ ମଧ୍ୟ ଏହି ଦସ୍ତାବିଜରେ ଉଲ୍ଲେଖ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ସଫଳତା ପଛରେ ଥିବା ନେତା ଓ କର୍ମୀଙ୍କୁ ଏଥିରେ ଧନ୍ୟବାଦ ଜଣାଇବେ । ଯେଉଁଠି ବିଜେପି ଅନେକ ବର୍ଷ ଧରି ସରକାର ଗଢିପାରୁନଥିଲା ଓ ପରେ ଗଢିଛି ତାହା ମଧ୍ୟ ଦସ୍ତାବିଜରେ ରହିବ ।

ଏହି ସବୁ ପ୍ରସଙ୍ଗ ଉପରେ ଫୋକସ୍

ବିଜେପି ନିଜର ରାଜନୈତିକ ସଙ୍କଳ୍ପରେ ବିରୋଧୀଙ୍କ ମୁକାବିଲା, ଅପପ୍ରଚାର ବିରୋଧରେ ଲଢେଇକୁ ଫୋକସ୍ କରିବ । ୨୦୧୪ରୁ ୨୦୨୦ ମଧ୍ୟରେ ବିଜେପି ଅଧ୍ୟକ୍ଷ ଥିବା ଅମିତ ଶାହ ଦଳକୁ ନୂଆ ଶିଖରରେ ପହଁଚାଇଥିଲେ । ଆଜି ଅନେକ ରାଜ୍ୟରେ ବିଜେପି ସରକାରରେ ଅଛି । ପୂର୍ବୋତ୍ତରରେ ମଧ୍ୟ ବିଜେପି ଦବଦବା ଜାହିର କରିବାରେ ସଫଳ ହୋଇଛି ।

ବୈଠକରେ ଦ୍ୱିତୀୟ ଦିନରେ ସବୁଠୁ ବେଶୀ ଫୋକସରେ ରହିବ ମୋଦୀଙ୍କ ସମ୍ବୋଧନ । ସେ ନେତା ଓ ପଦାଧିକାରୀଙ୍କୁ ଅନେକ ଗୁରୁମନ୍ତ୍ର ଦେବେ । ଦଳକୁ ଶକ୍ତିଶାଳୀ କରିବା ସହ କିପରି ଆହୁରି ମଜବୁତ କରାଯିବ ସେନେଇ ମୋଦୀ କହିବେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.