ମହିଳା ଭୋଟରଙ୍କ ଉପରେ ସବୁ ଦଳର ନଜର : ୨୩ ତାରିଖରୁ ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ

Published By : Prameya-News7 Bureau | September 11, 2018 IST

ଭୁବନେଶ୍ବର୧୧|୯: ପୁରୀରେ ହେବ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ । ଆସନ୍ତା ୨୩ ତାରିଖରୁ ୨୫ ତାରିଖ ଯାଏଁ ୩ ଦିନ ହେବ ଜାତୀୟ କାର୍ଯ୍ୟକାରିଣୀ । ଏହା ସହ ସରକାରଙ୍କ ବିରୋଧରେ ମହିଳା ମହା ସମାବେଶ କରିବ ବିଜେପି । ରଣନୀତିକୁ ସଫଳ ରୂପ ଦେବାକୁ ଓଡ଼ିଶା ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେପଟେ ଏହି ମାସରେ ମଧ୍ୟ କଂଗ୍ରେସ କରିବାକୁ ଯାଉଛି ମହିଳା ଆକ୍ରୋଶ ଯାତ୍ରା । ବିଜେଡି କିନ୍ତୁ କହୁଛି, ରାଜ୍ୟ ସରକାର ମହିଳାଙ୍କ ଲାଗି ଅନେକ କିଛି ଯୋଜନା କରିଛନ୍ତି, ବିରୋଧୀଙ୍କ ସମାବେଶର କିଛି ପ୍ରଭାବ ପଡ଼ିବନି । ଦିଲ୍ଲୀ ଜାତୀୟ କାର୍ଯ୍ୟକାରିଣୀରେ ସଙ୍କଳ୍ପ ପରେ ଏବେ ଓଡ଼ିଶା ରଣନୀତିକୁ ଜୋରଦାର୍ କରିବାକୁ ଯାଉଛି ବିଜେପି । ୨୩ ତାରିଖରୁ ୨୫ ତାରିଖ, ୩ ଦିନ ଧରି ପୁରୀରେ ହେବ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ । ଯେଉଁଥିରେ ଯୋଗ ଦେଉଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପି ସଙ୍କଳ୍ପ ନେଇଥିବା ବେଳେ ଏଥର ମହିଳା କର୍ମୀଙ୍କୁ ମନ୍ତ୍ର ଦେବେ ଶାହା । ୨୪ରେ ମହିଳା ସମାବେଶରେ ସେ ଉଦବୋଧନ ଦେବେ । ବିଜେଡି ସରକାର ବିରୋଧରେ ସାରା ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚା ସଂଗ୍ରହ କରିଥିବା ଦସ୍ତଖତ ଏବଂ ଗ୍ରାଉଣ୍ଡ ହୋମ୍ ୱାର୍କ ସମ୍ପର୍କରେ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ ଦଳ ହାଇଲାଇଟ୍ କରିବ । ରାଜ୍ୟର ମୋଟ୍ ଭୋଟର୍ ସଂଖ୍ୟାର ପାଖାପାଖି ୪୭.୯୫ ପ୍ରତିଶତ ବା ଅଧା ହେଉଛନ୍ତି ମହିଳା । ମହିଳାଙ୍କ ଭୋଟ୍ ହିଁ ସରକାର ଗଠନରେ ନିଣ୍ଣାୟକ ହେବ । ତେଣୁ ମହିଳାଙ୍କୁ ମନାଇ ଭୋଟ ହାତେଇ ବାକୁ ସବୁ ଦଳ ପ୍ରୟାସ କରୁଛନ୍ତି । କଂଗ୍ରେସ ମଧ୍ୟ ଏହି ମାସରେ ମହିଳା ଆକ୍ରୋଶ ଯାତ୍ରା ଆୟୋଜନ କରୁଛି । ବିଜେଡି କିନ୍ତୁ କହୁଛି, ସେ ବିଚଳିତ ନୁହେଁ । ଶାସକ ଦଳର କହିବା କଥା, ରାଜ୍ୟ ସରକାର ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେଣୁ ବିରୋଧୀଙ୍କ ସମାବେଶ କି ଯାତ୍ରା, କିଛି ପ୍ରଭାବ ପକାଇବନି । ମହଳାଙ୍କ ଭୋଟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନଜର । ରାଜ୍ୟ ସରକାର ବିଭିନ୍ନ ଘୋଷଣା କରୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନୂଆ ନୂଆ ଘୋଷଣା କରୁଛନ୍ତି । ଭୋଟ ଆଗରୁ ଅଙ୍ଗନଓ୍ବାଡି ଏବଂ ଆଶାକର୍ମୀଙ୍କ ପାରିତୋଷିକ ବଢାଇ ମହିଳାଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.