ବଦଳିଲାନି ସ୍ଥିତି: ଶେଷରେ ପଦ୍ମ ଛାଡ଼ି ଏବେ ଶଙ୍ଖ ଧରିଲେ ନବୀନ

Published By : Prameya-News7 Bureau | November 02, 2018 IST

ବ୍ରହ୍ମପୁର ୨/୧୧ : ପଦ୍ମ ଛାଡ଼ି ଏବେ ଶଙ୍ଖ ଧରିଛନ୍ତି ନବୀନ । ଦେଢ଼ ବର୍ଷ ତଳେ ଯେଉଁ ନବୀନଙ୍କୁ  ବିଜେପି ପଦ୍ମଟୋପି ପିନ୍ଧାଥିଲା ସେଇ ନବୀନ ଏବେ ସ୍ବଇଚ୍ଛାରେ ପିନ୍ଧିଛନ୍ତି ବିଜେଡି ଟୋପି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ହୁଗୁଳାପଟ୍ଟା ଗାଁର ନବୀନ ସ୍ବାଇଁଙ୍କ କଥା । ଗାଁର ଏଇ ବରା, ଆଳୁଚପ ବିକାଳୀଙ୍କ ଘରେ ଦିନେ ଆତିଥ୍ୟ ଗ୍ରହଣ କରି ଭୋଜନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । ଆଉ ନବୀନଙ୍କ ଦୁର୍ଦ୍ଦଶା ଚିତ୍ର ବଦଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦେଢ଼ ବର୍ଷ ପରେ ପରିସ୍ଥିତି ନବଦଳିବା ଦେଖି ଏବେ ପଦ୍ମ ଛାଡ଼ି ଶଂଖ ଧରିଛନ୍ତି ନବୀନ । ଦୁଇଟା ଚିତ୍ର ଉପରେ ଟିକେ ନଜର ପକାନ୍ତୁ । ଗୋଟିଏ ଚିତ୍ର ଦେଢ଼ ବର୍ଷ ତଳର । ଅର୍ଥାତ୍‌  ୨୦୧୭ ଜୁଲାଇ ୪ ତାରିଖର ଚିତ୍ର । ଆଉ ଗୋଟିଏ ଚିତ୍ର ହେଉଛି ଏବେର । ମାନେ ୧ ନଭେମ୍ବର ୨୦୧୮ର ଚିତ୍ର । ଏଠି ରାଜନୀତିରେ ଗରିବୀ କେମିତି ମୋହରା ସାଜିଛି ଇଏ ହେଉଛି ତା’ର ନିଚ୍ଛକ ଉଦାହରଣ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ହୁଗୁଳାପଟ୍ଟା ଗାଁର ନବୀନ ସ୍ବାଇଁ । ଗାଁର ବରା, ଆଳୁଚପ ବକାଳୀ ନବୀନଙ୍କ ଘରେ ଦେଢ଼ବର୍ଷ ତଳେ ଆତିଥ୍ୟ ଗ୍ରହଣ କ ଭୋଜନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । ଯାହାଙ୍କ ଘରେ ଦିନେ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଦ ପଡ଼ିନଥିଲା, ତାଙ୍କରି ଘର ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ନବୀନଙ୍କ ଦୁର୍ଦ୍ଦଶା ଦେଖି ତାଙ୍କୁ ପକ୍କାଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । ଆଉ ୧ଲକ୍ଷ ଟଙ୍କାର ସହାୟତା ମଧ୍ୟ ଯୋଗାଇଦେଇଥିଲେ । ହେଲେ ଦେଢ଼ ବର୍ଷ ପରେ ଅବସ୍ଥାରେ କୌଣସି ପରିବର୍ତନ ନହେବାରୁ ଶେଷରେ ନବୀନ ଏବେ ମୁଣ୍ଡରୁ ବିଜେପି ଟୋପିକୁ ଓହ୍ଲାଇ ଦେଇ ବିଜେଡି ଟୋପି ପିନ୍ଧିଛନ୍ତି । ନବୀନଙ୍କ ସହ ହୁଗୁଳାପଟ୍ଟା ସରପଞ୍ଚ ଓ ତାଙ୍କର ଶତାଧିକ ସମର୍ଥକ  ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ସହଜରେ ହଜମ କରିପାରିନାହାନ୍ତି ବିଜେପି ନେତା । ଏଠି ରାଜନୀତିରେ ମୋହରା ସାଜିଛି ଗରିବ ଆଉ ଗରିବୀ । କୋଉଠି ଗରିବଙ୍କ ଘରେ ଭୋଜନ କରି ନେତା ନିଜର ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଛନ୍ତି ତ ଆଉ କୋଉଠି ପ୍ରତିଶ୍ରୁତି ପାହାଡ଼ ଠିଆ କରି ସମର୍ଥନ ଯୋଗାଡ଼ କରିବାକୁ ଚାହୁଁଛନ୍ତି । ହେଲେ ନା’ ବଦଳୁଛି ଗରିବୀର ସଂଜ୍ଞା ନା’ ବଦଳୁଛି ଗରିବର ସମସ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.