ହିମାଚଳରେ ବିଜେପିର ପରାଜୟ ପରେ ଟ୍ରେଣ୍ଡ ହେଉଛନ୍ତି ଅନୁରାଗ ଠାକୁର, ଜାଣନ୍ତୁ କାହିଁକି?
9/12/2022 at 3:31 PM

ନୂଆଦିଲ୍ଲୀ ୯।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଏବେ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଟ୍ରେଣ୍ଡ ହେଉଛନ୍ତି। ଯେଉଁଥିରେ ବିଜେପି ସମର୍ଥକଙ୍କୁ ମଧ୍ୟ କିଛି ନା କିଛି କହୁଥିବାର ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅନୁରାଗ ଠାକୁରଙ୍କ ଲୋକସଭା ନିର୍ବାଚନମଣ୍ଡଳି ହମିର ପୁରରେ ବିଜେପି ସମସ୍ତ ୫ଟି ସିଟ୍ରେ ହାରି ଯାଇଛି। କଥା କେବଳ ଏତିକିରେ ଅଟକି ନାହିଁ ହମିରପୁରର ଜଣେ ବିଜେପି ପ୍ରାର୍ଥୀ ଭୋଟ ସେୟାରିଂରେ ୩ ନମ୍ବର ସ୍ଥାନକୁ ଚାଲିଯିବା ପରିସ୍ଥିତିକୁ ଚିନ୍ତାଜନକ କରିଛି।
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳୀୟ ବିଦ୍ରୋହୀମାନେ ବିଜେପିର କ୍ଷତିର କାରଣ ହୋଇଛନ୍ତି। ହିମାଚଳର ମୋଟ ୬୮ଟି ଆସନରୁ ୨୧ଟିରେ ବିଜେପିର ବିଦ୍ରୋହୀ ନେତା ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ଏଣୁ ଟ୍ୱିଟରରେ ଜଣେ ୟୁଜର ନଡ୍ଡା ଓ ଅନୁରାଗ ଠାକୁରଙ୍କ ରାଜ୍ୟରେ ମୋଦିଙ୍କୁ ପ୍ରିୟଙ୍କା ହରାଇ ଦେଲେ ବୋଲି ଉଲ୍ଲେଖ କରିଛନ୍ତି। ଗତ ନିର୍ବାଚନରେ ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୂମଲଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା। ୨୦୧୭ ନିର୍ବାଚନରେ ବିଜେପି ଧୂମଲଙ୍କ ଚେହେରାରେ ଦଳ ନିର୍ବାଚନକୁ ଓହ୍ଲାଇଥିଲା। ଏଣୁ ଏଥର ନିର୍ବାଚନରେ ଧୂମଲଙ୍କୁ ଦଳ ଟିକେଟ୍ ଦେଇ ନଥିଲା। ତେବେ ଟ୍ୱିଟରରେ ଅନେକ ବିଜେପି ସମର୍ଥକ ଜେ.ପି. ନଡ୍ଡା ଓ ଅନୁରାଗ ଠାକୁରଙ୍କୁ ଭୁଲ ପ୍ରାର୍ଥୀ ଚୟନର ଅଭିଯୋଗ କରୁଛନ୍ତି।

ଅନୁରାଗ ଠାକୁରଙ୍କୁ ନେଇ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଯଦି ହିମାଚଳ ପ୍ରଦେଶରେ ବିଜେପିର ପ୍ରତ୍ୟାବର୍ତ୍ତନ ହୁଏ ଓ ପରମ୍ପରା ବଦଳେ ତେବେ ଅନୁରାଗ ଠାକୁର ମୁଖ୍ୟମନ୍ତ୍ରୀ ହେବେ। ହେଲେ ନିର୍ବାଚନ ଜୟରାମ ଠାକୁରଙ୍କ ନେତୃତ୍ୱରେ ଲଢାଯିବ ବୋଲି ପାର୍ଟି ଘୋଷଣା କରିଥିଲା। ଏଠାରେ ଗୁଜରାଟ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାକୁ ଜନତାଙ୍କ ଆଗରେ ରଖା ଯାଇ ନଥିଲା। ୨୦୧୭ ନିର୍ବାଚନରେ ଯେଉଁ ପର୍ଯ୍ୟନ୍ତ ପ୍ରେମ କୁମାର ଧୂମଲ ହାରି ନଥିଲେ ସେ ପର୍ଯ୍ୟନ୍ତ ରାଜ୍ୟରେ ଜୟରାମ ଠାକୁରଙ୍କୁ କେହି ଚିହ୍ନି ନଥିଲେ। ତେବେ ଧୂମଲଙ୍କ ପରାଜୟ ଯୋଗୁ ଜୟରାମ ଠାକୁରଙ୍କ କାନ୍ଧରେ ଦଳର ଦାୟିତ୍ୱ ଦିଆଯାଇଥିଲା।
ଜେ.ପି.ନଡ୍ଡା ମଧ୍ୟ ପ୍ରେମ କୁମାର ଧୂମଲଙ୍କ ସରକାରରରେ ମନ୍ତ୍ରୀ ଥିଲେ। ଏଣୁ ନଡ୍ଡା ତାଙ୍କ ଭାଷଣରେ ହିମାଚଳରେ ଦଳର ହାର ନିଶ୍ଚିତ ହୋଇଛି ବୋଲି କହିବା ସହ ଭୋଟ ଅନ୍ତର ମାତ୍ର ୧ ପ୍ରତିଶତରୁ କମ ବୋଲି କହିଛନ୍ତି। ଦଳ ହାରିଥିଲେ ବି ରାଜ୍ୟରେ ଲୋକେ ବିଜେପି ଉପରେ ସେମାନଙ୍କ ଆସ୍ଥା ରଖିଛନ୍ତି ବୋଲି ନଡ୍ଡା କହିଛନ୍ତି। ନଡ୍ଡା ହିମାଚଳର ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ବିଜେପି ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି। ତେବେ ରାଜ୍ୟ ବିଧାନସଭାରେ ଦଳର ଜୟ ପରାଜୟ ନେଇ ଅନୁରାଗ ଠାକୁର ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।