‘RSS-ବିଜେପିର ସିକ୍ରେଟ୍ ସର୍ଭେରେ ଜିତୁଛି କଂଗ୍ରେସ, ଏଥିପାଇଁ ଗଲା ବିଜୟ ରୂପାଣୀଙ୍କ ଚୌକି’ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ
12/09/2021 at 1:49 PM

ଅହମଦାବାଦ ୧୨/୦୯ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀ ଇସ୍ତଫା ଦେବା ପରେ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ବିଜୟ ରୂପାଣୀ ଏହାକୁ ସାଧାରଣ ପ୍ରକ୍ରିୟା କହୁଥିବା ବେଳେ ବିରୋଧୀମାନେ ଏହାକୁ ଏକ ରାଜନୈତିକ ମୁଦ୍ଦା ଭାବେ ଧରିନେଇଛନ୍ତି । ନିର୍ବାଚନ ପୂର୍ବରୁ ମଜବୁତ ସଂଗଠକ ତଥା ନୂଆ ମୁହଁକୁ ସାମ୍ନାକୁ ଆଣିବାକୁ ଚାହୁଁଥିବା କଥା କୁହାଯାଉଥିବା ବେଳେ ରୂପାଣୀଙ୍କ ଇସ୍ତଫାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ।
ହାର୍ଦ୍ଦିକ ପଟେଲ କହିଛନ୍ତି, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ବିଜେପିର ଗୁପ୍ତ ସର୍ଭେରେ ଜଣାପଡିଛି ଯେ, ଆଗାମୀ ନିର୍ବାଚନରେ ବିଜେପିର ପରାଜୟ ହେଉଛି ଏବଂ ରୂପାଣୀଙ୍କ ଚୌକି ଯାଉଛି । ସେଥିପାଇଁ ନେତୃତ୍ବ ପରିବର୍ତ୍ତନ କରିଛି ଦଳ । ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆହୁରି ୧୫ ମାସ ବାକିଥିବା ବେଳେ ରୂପାଣୀଙ୍କ ଚୌକି ଯିବା ସହଜରେ ହଜମ ହେଉନି ।
ଟ୍ବିଟ୍ କରି ହାର୍ଦ୍ଦିକ ପଟେଲ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ବଦଳାଇବାର ପ୍ରମୁଖ କାରଣ !! ଅଗଷ୍ଟରେ RSS ଏବଂ ବିଜେପି ପକ୍ଷରୁ କରାଯାଇଥିବା ଗୁପ୍ତ ସର୍ଭେ ଚକିତ କରିବା ଭଳି ଫଳ ଦେଇଛି । ଆଗାମୀ ନିର୍ବାଚନରେ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ ମିଳୁଥିବା ବେଳେ ୯୬-୧୦୦ ସିଟ୍ ଜିତିବ ଦଳ । ସେହିଭଳି ବିଜେପି ୩୮ ପ୍ରତିଶତ ଭୋଟ ସହ ୮୦-୮୪ ସିଟ୍, ଆମ୍ ଆଦମୀ ପାର୍ଟି ୩ ପ୍ରତିଶତ ୦ ସିଟ୍, ମୀମ୍ କୁ ୧ ପ୍ରତିଶତ ଭୋଟ ୦ସିଟ୍ ଏବଂ ଅନ୍ୟମାନଙ୍କୁ ୧୫ ପ୍ରତିଶତ ଭୋଟ ଏବଂ ୪ଟି ସିଟ୍ ମିଳୁଛି ।’
ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଏହା ପୂର୍ବରୁ ମଧ୍ୟ ଟ୍ବିଟ୍ କରି ବିଜେପି ଉପରେ ହାମ୍ଲା କରିଥିଲେ । ସେ ଲେଖିଥିଲେ, ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଇସ୍ତଫା ଗୁଜୁରାଟ ଜନତାଙ୍କୁ ଅନ୍ଧାରରେ ରଖିବା ପାଇଁ ହିଁ ନିଆଯାଇଛି । ଗୁଜୁରାଟରେ ସରକାର ଚଳାଇବାରେ ବିଜେପି ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଏବେ ଏ କଥା ରାଜ୍ୟବାସୀ ବି ଜାଣିସାରିଲେଣି । ଆଗାମୀ ନିର୍ବାଚନରେ ବିଜେପିକୁ ସତ୍ତାରୁ ହଟାଇବେ ଜନତା ।