Opinion Poll: ଗୁଜରାଟ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ସଂକେତ, କଂଗ୍ରେସର କମିବ ଆସନ, ଜାଣନ୍ତୁ ଆପ୍‌ର ସ୍ଥିତି

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଛି । ଚଳିତ ବର୍ଷ ଶେଷରେ ଗୁଜରାଟରେ ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ସହ ସବୁ ଦଳ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ଗସ୍ତ କରିସାରିଛନ୍ତି । ଅନ୍ୟପଟେ ରାଜ୍ୟରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଆମ ଆଦମୀ ପାର୍ଟି ଉତ୍ସାହିତ ରହିଛି । ଏହା ପୂର୍ବରୁ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ଏବଂ ଏବିପି ନ୍ୟୁଜ ଏକ ସର୍ଭେ କରିଛନ୍ତି । ଓପିନିୟନ ପୋଲରେ ବିଜେପିର ବଡ଼ ବିଜୟ ହେଉଥିବା ଦେଖିବାକୁ ମିଳୁଛି ।

ସର୍ଭେରେ ବିଜେପି ବିପୁଳ ବିଜୟ ସହ କ୍ଷମତାକୁ ଫେରୁଥିବା ବେଳେ, ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସକୁ କମ ଆସନ ମିଳିବ ବୋଲି କୁହାଯାଇଛି । ସର୍ଭେ ଅନୁସାରେ ୧୮୨ ଆସନରୁ ବିଜେପି ୧୩୫ରୁ ୧୪୩ ଆସନରେ ବିଜୟୀ ହୋଇପାରେ । ସର୍ଭେରେ ଦଳକୁ ବଡ଼ ବହୁମତ ମିଳୁଥିବା ଅନୁମାନ କରାଯାଉଛି ।

ଓପିନିୟନ ପୋଲରେ କଂଗ୍ରେସକୁ ମାତ୍ର ୩୪-୪୪ ଆସନ ମିଳୁଛି । ଗତ ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା । ତେବେ, ପରେ କଂଗ୍ରେସର ଅନେକ ବିଧାୟକ ଦଳ ଛାଡିଥିଲେ ।

ପଞ୍ଜାବ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିବା ପରେ ଆପ୍ ଗୁଜରାଟ ନିର୍ବାଚନକୁ ନେଇ ବେଶ ଉତ୍ସାହିତ ରହିଛି । ଏପରିକି ଗୁଜରାଟରେ ସରକାର ଗଠନ କରିବ ବୋଲି ଦଳ ଦାବି କରୁଛି । କିନ୍ତୁ ଓପିନିୟନ ପୋଲରେ ଏହାର ବିପରୀତ ଦେଖିବାକୁ ମିଳୁଛି । ଆମ ଆଦମୀ ପାର୍ଟିକୁ ଏଠାରେ ଶୂନରୁ ୨ଟି ଆସନ ମିଳୁଥିବା ଦେଖିବାକୁ ମିଳୁଛି । ସେହିପରି ତିନୋଟି ଆସନରେ ଅନ୍ୟ ବିଜୟୀ ହୋଇପାରନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.