ମୁମ୍ବାଇ ୦୧/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ। ତାଙ୍କ ମୃତ୍ୟୁକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି। ଏହା ସହ ଏବେ ସୁଦ୍ଧା ଏକଥା ବି ସ୍ପଷ୍ଟ ହୋଇପାରିଲା ନାହିଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି। ତେବେ ରିୟା ଚକ୍ରବର୍ତୀ ଏବେ ସୁଦ୍ଧା ଯାହା ବୟାନ ଦେଇଛନ୍ତି ସେହି ହିସାବରେ ସେ ଜୁନ୍ ୮ରେ ସୁଶାନ୍ତଙ୍କୁ ଆଉ ଭେଟି ନାହାନ୍ତି କି ତାଙ୍କ ସହ କଥା ମଧ୍ୟ ହୋଇ ନାହାନ୍ତି। ଏବେ ବିଜେପି ନେତା ବିବେକାନନ୍ଦ ଗୁପ୍ତା ଦାବି କରିଛନ୍ତି ଯେ ସୁଶାନ୍ତ ଓ ରିୟା ଜୁନ୍ ୧୩ ତାରିଖ ରାତିରେ ଭେଟିଥିଲେ।
ସେ ଜଣେ ସାକ୍ଷୀଙ୍କ ଠାରୁ ଜାଣିପାରିଛନ୍ତି ଯେ ସୁଶାନ୍ତ ଜୁନ୍ ୧୩ ରାତିରେ ରିୟାଙ୍କୁ ଘରକୁ ଛାଡିବାକୁ ଯାଇଥିଲେ। ସାକ୍ଷୀ ଜଣକ ଦୁହିଁଙ୍କୁ ରାତି ୨ଟାରୁ ୩ଟା ମଧ୍ୟରେ ଦେଖିଥିବା ଦାବି କରିଛନ୍ତି। ସେହି ସମୟରେ ସୁଶାନ୍ତ ରିୟାଙ୍କୁ ଘରକୁ ଛାଡିବାକୁ ଯାଇଥିଲେ।
ତେବେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତି ଏହି ଖବରକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହି ଖବରକୁ ଗେମ ଚେଞ୍ଜର କହିଛନ୍ତି ଶ୍ବେତା।