ବ୍ରଜରାଜନଗର ଅଞ୍ଚଳରେ ସଟଡାଉନ୍ କଟକଣାକୁ କୋହଳ କରିବାକୁ ଦାବି କଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା
8/05/2020 at 3:47 PM

ବ୍ରଜରାଜନଗର୮/୫: ବ୍ରଜରାଜନଗରର କଣ୍ଟେନମେଣ୍ଟ୍ ଜୋନ୍ରେ ସଟଡାଉନ୍ କଟକଣାକୁ କୋହଳ କରିବାକୁ ଦାବୀ କଲେ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ୧୦ ଦିନ ତଳେ ବ୍ରଜରାଜନଗର ବୁଢ଼ୀଜାମ ଅଞ୍ଚଳରେ ଜଣେ ବଙ୍ଗଳା ଫେରନ୍ତା ୧୮ ବର୍ଷୀୟ ଯୁବତୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ପୋୖରାଞ୍ଚଳର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ଲୋକମାନେ ଘରୁ ନ ବାହାରିବାକୁ କୁହାଗଲା।

ପ୍ରଶାସନର ନିୟମକୁ ଭାଙ୍ଗୁଥିବା ଅମାନିଆଙ୍କୁ ପୋଲିସ ଦଣ୍ଡ ବିଧାନ କରୁଥିବା ବେଳେ 10 ଦିନ ବିତିଯାଇଥିଲେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ରେ କଟକଣା କୋହଳ ନ ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ରାଧାରାଣୀ ପଣ୍ଡା ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ କରି ସେହି ଅଞ୍ଚଳରେ ଜୀବନ ଧାରଣ ଢାଞ୍ଚାକୁ ସ୍ୱାଭାବିକ କରିବାକୁ ଦାବି କରି ଏକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।