ଦେବଗଡରେ ଅଭିନେତ୍ରୀ ହେମା ମାଳିନୀ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

Published By : Prameya-News7 Bureau | May 18, 2024 IST

ଦେବଗଡ ୧୮।୫: ଦେବଗଡ ଜିଲ୍ଲାର ବାରକୋଟ ଠାରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଙ୍କ ପାଇଁ ଭୋଟ୍ ଭିକ୍ଷା କଲେ ଅଭିନେତ୍ରୀ ହେମା ମାଳିନୀ । ଶନିବାର ବଲିଉଡ୍ ଅଭିନେତ୍ରୀ ତଥା ମଥୁରା ବିଜେପି ସାଂସଦ ହେମା ମାଳିନୀ ଦେବଗଡ ଜିଲ୍ଲାର ବାରକୋଟ ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ପୂର୍ବାହ୍ନ ସମୟରେ ହେମା ମାଳିନୀ ହେଲିକପ୍ଟର ଯୋଗେ ବାରକୋଟ ଗଙ୍ଗାନାଳୀ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ । ହେଲିପ୍ୟାଡରେ ଦଳୀୟ ନେତା ଓ କର୍ମୀ ଡ୍ରିମ୍ ଗାର୍ଲଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ହାଇସ୍କୁଲ ପଡିଆରେ ଆୟୋଜିତ ସମାବେଶ ସ୍ଥଳକୁ ଯାଇଥିଲେ । 

ସମାବେଶରେ ହେମା ମାଳିନୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦେଶରେ ବିଜେପି ୪ଶହ ସିଟ୍ ପାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ସେଥିରେ ଦେବଗଡବାସୀ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ । ସାଧାରଣ ସଭାରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିବା ବେଳେ ଏହି ଭିଡ ହିଁ ଆଗାମୀ ନିର୍ବାଚନରେ ରାଜ୍ୟ ସରକାର ବଦଳୁଥିବାର ସଂକେତ ବୋଲି ହେମାମାଳିନୀ କହିଥିଲେ ।

ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ  ଉଦବୋଧନ ଦେଇଥିଲେ । ନିଜ ଉଦବୋଧନରେ ସୁବାସ  ବାଜପେୟୀଙ୍କ   ସରକାର ଓ ମୋଦୀ ସରକାରଙ୍କ  ସମୟରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ଗୋଟି ଗୋଟି କରି ହିସାବ ଦେଇଥିଲେ । ସେହିପରି ରାଜ୍ୟ ସରକାର କେବଳ ରଙ୍ଗ ମାରି ରୂପାନ୍ତରିକରଣ କରିଥିବା ଡିଣ୍ଡିମ ପିଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏହି ଅବସରରେ ସେ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶ କାମ ତ୍ବରାନ୍ବିତ ହେବ ବୋଲି କହିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ଗମନାଗମନର ସୁବିଧା ପାଇଁ ଦେବଗଡ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ରେଳ ସଂଯୋଗ ପାଇଁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ବିଜେପିର ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ, ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ, ଦେବଗଡ ଜିଲ୍ଲା ସଭାପତି ଅରୁଣ କୁମାର ସାହୁଙ୍କ ସମେତ ଦଳର ବହୁ ପଦାଧିକାରୀ, କର୍ମୀ ଉପସ୍ଥିତ ଥିଲେ । 

You Can Read :

ଖଲ୍ଲିକୋଟ ନିର୍ବାଚନୀ ହିଂସା : ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ୪ ଜଣିଆ ଏସ୍ଆଇଟି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.