ବିଜେପି ନେତା ସିଏଏର ବିରୋଧ କରୁଥିବା ୧୨୦ ବର୍ଷୀୟ ସ୍ଵାଧୀନତା ସଂଗ୍ରାମୀଙ୍କୁ କହିଲେ ‘ପାକିସ୍ତାନୀ ଏଜେଣ୍ଟ’
3/03/2020 at 4:44 PM

ବେଙ୍ଗାଲୁରୁ ୦୩।୦୩- ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ନେତାଙ୍କ ଦ୍ଵାରା ୧୨୦ ବର୍ଷୀୟ ସ୍ଵାଧୀନତା ସଂଗ୍ରାମୀ ଏଚ.ଏସ. ଦୋରେସ୍ଵାମୀଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ସୋମବାର କର୍ଣ୍ଣାଟକ ବିଧାନସଭାରେ ଜୋରଦାର ବିତର୍କ ପରେ ବାଚସ୍ପତି ଗୃହକାର୍ଯ୍ୟକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏଚ.ଏସ. ଦୋରେସ୍ଵାମୀ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ହେଉଥିବା ପ୍ରଦର୍ଶନରେ ଜଣେ ଜଣାଶୁଣା ଚେହେରା ଭାବେ ପରିଚିତ। ସେ ଖୋଲାଖୋଲି କେନ୍ଦ୍ରର ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ନୀତିକୁ କଡା ସ୍ଵରରେ ସମାଲୋଚନା କରି ଆସୁଛନ୍ତି।
କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହେବାରୁ ଗୃହକାର୍ଯ୍ୟ ମୁଲତବି ରଖାଯାଇଥିଲା।
କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି ଈଶ୍ଵର ଖାଣ୍ଡରେ କହିଛନ୍ତି ଯେ, ବିଜେପି ନେତା ବିଶେଷ ରୂପେ ବସଭରାଜ ୟତନାଲ ଦେଶର ସ୍ଵାଧୀନତା ସଂଗ୍ରାମୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଛନ୍ତି। ସେ ଶ୍ରୀ ଏଚ.ଏସ. ଦୋରେସ୍ଵାମୀଙ୍କୁ ‘ପାକିସ୍ତାନୀ ଏଜେଣ୍ଟ’ କହିଛନ୍ତି, ସେ ଦେଶ ବିରୋଧୀ। ଆମେ ବିଧାନସଭାରେ ବିଜେପି ନେତାଙ୍କ ବିରୋଧରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛୁ। ତାଙ୍କ ବିରୋଧରେ କେସ୍ ରୁଜୁ କରାଯାଉ, ବିଧାୟକ ପଦରୁ ନିଲମ୍ବିତ କରାଯାଉ। ଗୃହର ମାନ ମର୍ଯ୍ୟାଦ ରଖାଯାଉ ବୋଲି କଂଗ୍ରେସ ରାଜ୍ୟ ସଭାପତି ଦାବି କରିଛନ୍ତି।
ବସଭରାଜ ୟତନାଲ ଏଚ.ଏସ. ଦୁରଇସ୍ଵାମୀଙ୍କୁ ନକଲି ସ୍ଵାଧୀନତା ସଂଗ୍ରାମୀ ତଥା ପାକିସ୍ତାନୀ ଏଜେଣ୍ଟ କହିଥିଲେ। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଥିଲା, ଯାହା ଏବେ କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନକୁ ପ୍ରଭାବିତ କରିଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ଗୁରୁବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାର ଅଛି।
ବିଜେପି ନେତା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦୋରେସ୍ଵାମୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ଉପରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଓଲଟା ସେ ଦୋରେସ୍ଵାମୀଙ୍କୁ ଜନତା ଦଳ ସେକ୍ୟୁଲାର(ଜେଡିଏସ) ଓ କଂଗ୍ରେସ ପକ୍ଷରେ କହୁଥିବା କୁହାଳିଆ ମଣିଷ କହିଛନ୍ତି।