ବିଜେପିର ସଂକଳ୍ପ ପତ୍ର; ମହିଳା, ଗରିବ, ଯୁବ, ଚାଷୀଙ୍କୁ ସମର୍ପିତ, ୧୦ ବର୍ଷରେ ସବୁ ଗ୍ୟାରେଣ୍ଟି ପୂରଣ, ଜାରି ରହିବ ମଗଣା ରାସନ

Published By : Prameya-News7 Bureau | April 14, 2024 IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପିର ସଂକଳ୍ପ ପତ୍ର ଜାରି । ଭାରତୀୟ ଜନତାପାର୍ଟି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଇସ୍ତାହାର ଜାରି କରିଛି । ଏହି ଘୋଷଣା ପତ୍ରରେ ବିଜେପିର ଆଗାମୀ କାର୍ଯ୍ୟପନ୍ଥା ଉଲ୍ଲେଖ ରହିଛି । ଏହି ସଂକଳ୍ପ ପତ୍ର ମହିଳା, ଗରିବ, ଯୁବବର୍ଗ, କୃଷକଙ୍କ ପାଇଁ ସମର୍ପିତ । ଆସନ୍ତା ୧୦ ବର୍ଷ ମଧ୍ୟରେ ସମସ୍ତ ଗ୍ୟାରେଣ୍ଟି ପୂରଣ ହୋଇଛି ବୋଲି ଏଥିରେ କୁହାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଫ୍ରି’ ରାସନକୁ ଆଉ ୫ ବର୍ଷ ଯାଏଁ ବିସ୍ତାର କରାଯାଇଛି । GYAN ଯୋଜନା ଅର୍ଥାତ୍ ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତିଙ୍କୁ ନେଇ ଆଗକୁ ବଢ଼ୁଛି ଭାରତ । ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଗଠନ ହେବ । 

ବିଜେପିର ଇସ୍ତାହାର ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ବର୍ଗଙ୍କୁ ଗୋଟିଏ ଗୋଟିଏ ସଂକଳ୍ପ ପତ୍ର ପ୍ରଦାନ କରିଥିଲେ । ଏହା ସହିତ ପିଏମ୍ ମୋଦି କହିଛନ୍ତି, ଆସନ୍ତା ୫ ବର୍ଷ ମଧ୍ୟ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଉପରେ ଫୋକସ୍ କରାଯିବ । ଏହା ହିଁ ମୋଦି ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ବିଜେପି ସରକାର ଗତ ୧୦ ବର୍ଷ ମଧ୍ୟରେ ୪ କୋଟି ଗିରବ ପକ୍କା ଘର ପ୍ରଦାନ କରିଛି । ଆଉ ୩ କୋଟି ଗରିବଙ୍କ ପାଇଁ ପକ୍କା ତିଆରି ହେବ ବୋଲି ସଂକଳ୍ପ ପତ୍ରରେ ଉଲ୍ଲେଖ ରହିଛି । ବର୍ତ୍ତମାନ ସୁଦ୍ଧା ଉଜ୍ଜ୍ବଳା ଯୋଜନାରେ ଘରେ ଘରେ ଶସ୍ତାରେ ଏଲପିଜି ସିଲିଣ୍ଡର ପହିଞ୍ଚି । ଏବେ ପାଇପ୍ ଯୋଗେ ରୋଷେଇ ଗ୍ୟାସ ଘରେ ଘରେ ପହଞ୍ଚାଯିବ । ସେଥିପାଇଁ ସରକାର ଦ୍ରୁତଗତିରେ କାମ କରୁଛନ୍ତି । ୫୦ କୋଟି ଜନଧନ ବ୍ୟାଙ୍କ ଖାତା ଖୋଲିଛି ବୋଲି ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ।  

୭୦ ବର୍ଷରୁ ଅଧିକ ବୟସ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ ହେବା ବୋଲି ଇସ୍ତାହାରରେ ଘୋଷଣା କରାଯାଇଛି । ଆୟୁଷ୍ମାନ ଯୋଜନାରେ ସାମିଲ୍ ହେବେ ଟ୍ରାନ୍ସଜେଣ୍ଡର । ମୁଦ୍ରା ଯୋଜନାରେ ୨୦ ଲକ୍ଷ ଯାଏଁ ଋଣ ପାଇଁ ସୁବିଧା କରାଯିବ । ୧୦ କୋଟି କୃଷକଙ୍କ ପାଇଁ ସମନିଧି  ଯୋଜନା ଜାରି ରହିବ । ଫସଲ ସର୍ବନିମ୍ନ ସହୟାକ ମୂଲ୍ୟ ବୃଦ୍ଧି ଜାରି ରହିବ । ମତ୍ସ୍ୟଜୀବୀଙ୍କୁ ଜୀବନ ବୀମା ସୁବିଧା ମିଳିବ । ବିଦ୍ୟାଙ୍ଗମାନଙ୍କୁ ବିଶେଷ ପ୍ରଦାନ କରାଯିବ । ସାରା ଦେଶରେ ରାମାୟଣ ଦିବସ ପାଳନ କରାଯିବ ବୋଲି ବିଜେପି ଇସ୍ତାହାରରେ ଉଲ୍ଲେଖ ରହିଛି । ସେହିପରି ଜନଔଷଧି କେନ୍ଦ୍ରରେ ସୁଲଭମୂଲ୍ୟ ଔଷଧ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । 

  • BJP
  • politics
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.