ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮: ବିହାରରେ ପୁଣି ଥରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବାକୁ ଯାଉଛି । କୁହାଯାଉଛି ଯେ, ଗୋଟିଏ କିମ୍ବା ଦୁଇ ଦିନ ଭିତରେ ଜେଡିୟୁ ବିଜେପିରୁ ଅଲଗା ହେବା ନେଇ ଘୋଷଣା କରିବ । ସୂତ୍ରାନୁସାରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି, ବାମଦଳ ଓ କଂଗ୍ରେସ ସହ ମିଶି ସରକାର ଗଠନ କରିପାରନ୍ତି ।  

ଜେଡିୟୁର ଅଭିଯୋଗ ହେଉଛି ଯେ, ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି । ଦଳ ଛାଡିଥିବା ଆରସିପି ସିଂଙ୍କ ଜରିଆରେ ବିଜେପି ଏପରି କରୁଥିବା ନୀତିଶଙ୍କ ଦଳ କହିଛି । କେବଳ ଏତିକି ନୁହେଁ, ନୀତିଶଙ୍କ ଅନେକ ବିଧାୟକ ଅନ୍ତରୀଣ ନିର୍ବାଚନ ଚାହୁଁନାହାଁନ୍ତି । ତେଣୁ ନୀତିଶ ଆରଜେଡି, କଂଗ୍ରେସ ସାହାଯ୍ୟରେ ସରକାର ଚଳାଇବା ବିକଳ୍ପରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତିଶ ଓ ବିଜେପିର ସମ୍ପର୍କ ଗତ କିଛି ଦିନ ହେବ ଶୀତଳ ପଡିଛି । ଉଭୟ ଟକ୍କରାଟକ୍କରି ସ୍ଥିତିରେ ରହୁଛନ୍ତି । ଫଳରେ ସରକାର ରହିବ ନା ଭାଙ୍ଗିବ ତାକୁ ନେଇ ନାନା ଆଲୋଚନା ପ୍ରକାଶ ପାଉଛି ।

ତେବେ ଗତ ଏକ ମାସର ଘଟଣାକ୍ରମ ଉପରେ ନଜର ପକାଇଲେ ଉଭୟ ଦଳ ମଧ୍ୟରେ କିଛି ଠିକ୍ ନଥିଲା ସ୍ପଷ୍ଟ ଜଣାପଡୁଛି । ଗତ ମାସରେ ଏପରି ଚାରି ଥର ଘଟିଥିଲା । ନୀତିଶ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକରେ ଯୋଗ ଦେଇନଥିଲେ । ଏହାପରେ ନୀତିଶ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୈଶ୍ୟ ଭୋଜିରେ ଯୋଗ ଦେଇନଥିଲେ । ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ସେ ଉପସ୍ଥିତ ହୋଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.