ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସବୁ ସାଂସଦଙ୍କୁ ହ୍ୱିପ୍ ଜାରି କଲା ବିଜେପି
14/09/2023 at 4:47 PM

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ଗୁରୁବାର ହ୍ୱିପ୍ ଜାରି କଲା ବିଜେପି। ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଧିବେସନ ଚାଲିବାକୁ ଥିବା ବେଳେ ଏହି ୫ ଦିନ ସଂସଦରେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ବିଜେପି। ସବିଶେଷ ରିପୋର୍ଟ ଅନୁସାରେ, ସଂସଦରେ ଉପସ୍ଥିତ ରହି ସରକାରଙ୍କର ପ୍ରସ୍ତାବକୁ ସମର୍ଥନ କରିବାକୁ ଦଳୀୟ ସାଂସଦଙ୍କୁ କୁହାଯାଇଥିବା ସୂଚନା ମିଳିଛି।
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏଜେଣ୍ଡା ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ବାରମ୍ବାର ଘେରୁଥିବା ବେଳେ ଗତକାଲି(ସେପ୍ଟେମ୍ବର ୧୩) ଏଜେଣ୍ଡାର ଅସ୍ଥାୟୀ ତାଲିକା ପ୍ରଦାନ କରିଥିଲେ କେନ୍ଦ୍ର ସରକାର। ଅଧିବେସନର ପ୍ରଥମ ଦିନରେ ସମ୍ବିଧାନ ସଭାରୁ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଭିତରେ ସାଂସଦର ସଫଳ ଯାତ୍ରା ନେଇ ଆଲୋଚନା ହେବ। ପ୍ରଥମ ଦିନ ଆଲୋଚନା ପୁରୁଣା ସଂସଦରେ ହେବାକୁ ଥିବା ବେଳେ ଦ୍ୱିତୀୟ ଦିିନ ତଥା ଗଣେଶ ଚତୁର୍ଥୀରେ ନୂଆ ସଂସଦରେ ଅଧିବେଶନ ବସିବ।
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୪ ବିଲ୍ ବିଷୟରେ ଆଲୋଚନା ହେବ। ଏହି ବିଲ୍ ଭିତରେ ଆଡ୍ଭୋକେଟ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩ ଓ ପ୍ରେସ୍ ଅଫ୍ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ପିରିଅଡିକ୍ସ ବିଲ୍ ୨୦୨୩ ଏହି ଦୁଇଟି ବିଲ୍ ରହିଛି। ସେପ୍ଟେମ୍ବର ୧୮-୨୨ ତାରିଖ ଏହି ଦୁଇ ଦିନ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ବିଲ୍ ସମ୍ପର୍କରେ ଆଲୋଚନା ହେବ। ଏହି ଦୁଇଟି ବିଲ୍ ପୂର୍ବରୁ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାସ୍ ହୋଇସାରିଛି।

ଅନ୍ୟପଟେ ରାଜ୍ୟସଭା ସାଂସଦମାନେ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ ଓ ଏବଂ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର(ନିଯୁକ୍ତି, ସେବା ସର୍ତ୍ତ ଓ ଅଫିସ କାର୍ଯ୍ୟକାଳ) ବିଲ୍ ୨୦୨୩ ଉପରେ ଆଲୋଚନା କରିବେ। ଅଗଷ୍ଟ ୧୦ ତାରିଖରେ ଏହି ଦୁଇଟି ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା। ଏହା ସତ୍ତ୍ୱେ ସମ୍ବିଧାନ ସଭା ଆରମ୍ଭରୁ ୭୫ ବର୍ଷର ସାଂସଦୀୟ ଯାତ୍ରା, ହାସଲ, ଅନୁଭବ, ସ୍ମୃତି ଓ ଶିକ୍ଷଣ ସମ୍ପର୍କରେ ଆଲୋଚନା ହେବ ବୋଲି ସରକାରୀ ନୋଟିସ୍ରେ କୁହାଯାଇଛି।
ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର। ସେପ୍ଟେମ୍ବର ୧୭ ତାରିଖରେ ସର୍ବଦଳୟୀ ବୈଠକ ଡକାଯାଇଛି। ଏନେଇ ସମସ୍ତ ବିରୋଧୀ ଦଳର ନେତାଙ୍କମାନଙ୍କ ପାଖକୁ ଇ-ମେଲ୍ କରି ନିମନ୍ତ୍ରଣ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।