ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୋହନ ମାଝୀ
29/03/2023 at 4:41 PM

ଭୁବନେଶ୍ବର ୨୯।୩: ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ବିଜେପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଜେପି ଏକ କ୍ୟାଡ଼ର ବେସ୍ ପାର୍ଟି ହୋଇଥିବାରୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ଦଳ ସବୁବେଳେ ଫିଟ୍ ଥାଏ । ଏବେ ଆମର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଚାଲିଛି ।
ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସେଠାରେ ଦଳ ଜୋରଦାର ଲଢେଇ କରିବ । ଆମେ ଯେମିତି ଧାମନଗର ଉପନିର୍ବାଚନରେ ଲଢ଼ିଥିଲୁ ଓ ଜିତିଥିଲୁ, ସେମିତି ଝାରସୁଗୁଡାରେ ମଧ୍ୟ ଲଢିବୁ ଏବଂ ଜିତିବୁ । ସେଠି ଆମର ସଙ୍ଗଠନ ମଜବୁତ ଅଛି । ଗତ ନିର୍ବାଚନରେ ମଧ୍ୟ ଭଲ ଭୋଟ୍ ପାଇଥିଲୁ । ଏହା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ କି ନାହିଁ ତାହା ତ ସମୟ କହିବ । କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ବିଜେପି ଗୁରୁତ୍ବର ସହ ନେଇଥାଏ । ଯାହା ଫଳାଫଳ ଆସିବ ତାକୁ ଦଳ ନିର୍ଣ୍ଣାୟକ ମୋଡ଼କୁ ନେଇଯିବ ଏବଂ ପରିବର୍ତ୍ତନର ସଙ୍କେତ ଦେବ । ତା ସହ ହାଇକମାଣ୍ଡ ଠିକ୍ ସମୟରେ ପ୍ରାର୍ଥୀ ଚୟନ କରିବେ ।