ରାଷ୍ଟ୍ରପତି ନିର୍ବାଚନରେ ନିତିଶଙ୍କୁ ନେଇ ସତର୍କ ହେଲା ବିଜେପି,  ଏବେ ପ୍ଲାନ୍-ବି ରେ କରୁଛି କାମ

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ ୨୫।୫:  ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି  ବିଜେପି ଏବେ ଅତ୍ୟନ୍ତ ସତର୍କତାର ସହ କାମ କରୁଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ହାଭଭାବକୁ ନେଇ ଆଶଙ୍କାରେ ଥିବା ବିଜେପି ଏବେ ତାର ପ୍ଲାନ-ବିରେ କାମ ଆରମ୍ଭ କରିଦେଇଛି। ନିର୍ବାଚନରେ  ଜନତାଦଳ ୟୁନାଇଟେଡ(ଜେଡିୟୁ)ରୁ ସମର୍ଥନ ନ ମିଳିବା ସ୍ଥିତିରେ ଓଡିଶାର ବିଜୁ ଜନତା ଦଳ (ବିଜେଡି) ଓ ଆନ୍ଧ୍ରର  ୱାଇଏସଆର କଂଗ୍ରେସ ସମର୍ଥନ ହାସଲ ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି।

ଏଥିରେ ଯଦି ନିତିଶ ଏନଡିଏ ସହିତ ରହନ୍ତି ତେବେ ୱାଇଏସଆର କଂଗ୍ରେସ ଅଥବା ବିଜେଡି ମଧ୍ୟରୁ କାହାର ଜଣକର ସମର୍ଥନ ନେଇ ବିଜେପି ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିପାରେ। ଉଲ୍ଲେଖ ଯୋଗ୍ୟ ଯେ ନିତିଶଙ୍କ ବର୍ତ୍ତମାନର ହାଭଭାବରେ ବିଜେପି ଏବେ ସନ୍ଦେହରେ ପଡିଯାଇଛି। ପ୍ରାୟ ଗତ ମାସେ ହେଲା ନିତିଶ ମନ୍ତ୍ରୀମଣ୍ଡଳ ବୈଠକ କରୁ ନଥିବା ବେଳେ ବିଜେପି ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁ ନାହାନ୍ତି। ଅପରପକ୍ଷେ ବିଜେପି କୋଟାର ମନ୍ତ୍ରୀମାନଙ୍କ କାମଦାମର ସେ ନିଜେ ତଦାରଖ କରୁଛନ୍ତି।

{"id":634215,"width":840,"height":480,"sizeSlug":"full","linkDestination":"none"}

ସେପଟେ ବିରୋଧୀଙ୍କ ସର୍ବସମ୍ମତ ପ୍ରାର୍ଥୀ ଛିଡା କରିବାକୁ ଚାହୁଁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରସଙ୍ଗକୁ ନେଇ ଖୁବ୍ ଶୀଘ୍ର ନିତିଶଙ୍କୁ ଭେଟି ପାରନ୍ତି। ଏହି କ୍ରମରେ ରାଓ ଆଗାମୀ ଦୁଇ ତିନଦିନରେ ବିହାର ଗସ୍ତରେ ଆସିବା ସହ ନିତିଶ ଓ ଆରଜେଡି ନେତା ତେଜସ୍ୱୀଙ୍କୁ ଭେଟିବାର ଅନୁମାନ କରାଯାଉଛି।

ରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏର ପରିସ୍ଥିତି ବେଶ ଭଲ ଅଛି। ଏନଡିଏ ପାଖରେ ୪୮.୯ ପ୍ରତିଶତ ଭୋଟ ରହୁଥିବା ବେଳେ ମିଳିତ ବିରୋଧୀଦଳଙ୍କ ଭୋଟ ପ୍ରତିଶତ ୫୧.୧ ରହୁଛି। ଏଥିରେ ଶରଦ ପାୱାର, କେ.ସି.ଆର ଓ ମମତା ବାନାର୍ଜୀ ମିଳିତ ବିରୋଧୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ କରୁଥିବାରୁ ଏନଡିଏରୁ ଜେଡିୟୁକୁ ପୃଥକ କରିବାକୁ ଉଦ୍ୟମ କରୁଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁର ଭୋଟ ୨୨ ହଜାରରୁ ସାମାନ୍ୟ ଅଧିକ।

ଏଥିରେ ଯଦି ନିତିଶ ମିଳିତ ବିରୋଧୀଙ୍କ ପକ୍ଷକୁ ଚାଲି ଯାଆନ୍ତି ତେବେ ୱାଇଏସଆର କଂଗ୍ରେସ ଓ ବିଜେଡିକୁ ନିଜ ପକ୍ଷକୁ ଆଣିବା ଏବେ ଏନଡିଏ ପାଇଁ ଜରୁରୀ। ରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁ ପୂର୍ବରୁ ଧୋକା କରିସାରିଛି। ଏଣୁ ଏନଡିଏ ଏବେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜେଡିୟୁ ଉପରେ ଏତେଟା ଭରସା କରିପାରୁ ନାହିଁ। ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପି.ଏ.ସାଙ୍ଗମାଙ୍କୁ ସମର୍ଥନ କରୁଥିବା ବେଳେ ବିହାରରେ ଜେଡିୟୁ  ୟୁପିଏ ସମର୍ଥିତ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲା। ଏଣୁ ଜେଡିୟୁ ଇତିହାସକୁ ଦେଖି ବିଜେପି ଏଥର ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.