ବିରୋଧୀ ମେଳିଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ବିଜେପିର ପ୍ରସ୍ତୁତି: ଚିରାଗଙ୍କୁ ନଡ୍ଡାଙ୍କ ଚିଠି, ପାର୍ଟି ବୈଠକରେ ଯୋଗ ଦିଅ
15/07/2023 at 6:34 PM

ନୂଆଦିଲ୍ଲୀ: ବିରୋଧୀମାନେ ଏବେ ବିଜେପି ବିରୋଧରେ ମେଳି ବାନ୍ଧିଲେଣି। ତେଣୁ ବିରୋଧୀଙ୍କୁ ଟକ୍କର ଦେବାକୁ ବିଜେପି ବି ଯୋଜନା ପ୍ରସ୍ତୁତ କରୁଛି। ଯେଉଁ ଛୋଟମୋଟ ଦଳ ବିଜେପି ଠାରୁ ଦୂରେଇ ଯାଇଥିଲେ ବର୍ତ୍ତମାନ ଦଳ ସେମାନଙ୍କୁ ମନାଇବାକୁ ଚେଷ୍ଟା କରୁଛି। ବିହାରର ରାମ ବିଳାଶ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରୁଛି ବିଜେପି।
ବିରୋଧୀ ମେଳିକୁ ପରାହତ କରିବାକୁ ରଣନୀତି ତିଆରି କରିବା ପାଇଁ ଜୁଲାଇ ୧୮ ତାରିଖରେ ଏନ୍ଡିଏ ବୈଠକ ହେବ। ଏହି ବୈଠକରେ ଚିରାଗଙ୍କୁ ଯୋଗ ଦେବାକୁ ଚିଠି ଲେଖି କହିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।

ଚିଠିରେ ସେ କହିଛନ୍ତି ଯେ ଆଞ୍ଚଳିକ ଦଳ ହେଉଛି ଏନ୍ଡିଏର ମୁଖ୍ୟ ଉପାଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱରେ ଦେଶର ଗରିବ ଲୋକଙ୍କ ପାଇଁ ହେଉଥିବା ବିକାଶ କାର୍ଯ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟ ସହଯୋଗୀ। ସୂଚନା ଥାଉକି ୨୦୨୦ରେ ନୀତିଶ ସରକାରଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚିରାଗ ପାସୱାନ ଏନ୍ଡିଏ ଠାରୁ ଅଲଗା ହୋଇଯାଇଥିଲେ। ଏବେ ସେ ପୁଣିଥରେ ବିଜେପିକୁ ସମର୍ଥନ କରିବାକୁ ଚାହୁଛନ୍ତି ବୋଲି ଚିରାଗ ପରୋକ୍ଷରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି “ଦଳର ନେତାଙ୍କ ସହିତ ପରାମର୍ଶ କରିବା ପରେ ଆମେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ସମୟ ସମୟରେ ଆମେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛୁ, କିନ୍ତୁ ଏନଡିଏ ବୈଠକକୁ ଯିବେ କି ନାହିଁ ତାହା ଦଳର ନେତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।”

ସୂଚନା ଥାଉକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କୁ ବିଜେପି କେନ୍ଦ୍ରୀୟ କ୍ୟାବିନେଟରେ ସ୍ଥାନ ଦେଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ଚିରାଗଙ୍କ ପ୍ରତି ବିଜେପିର ଘନିଷ୍ଠତା ବଢୁଛି। ନିକଟରେ ଗୁଇନ୍ଦା ବିଭାଗ ଚିରାଗଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରିପୋର୍ଟ ଦେବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ Z ସୁରକ୍ଷା ପ୍ରଦାନ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ରାତିରେ ଚିରାଗ ପାସୱାନଙ୍କୁ ଭେଟିଛନ୍ତି। ଏବେ ନଡ୍ଡା ପାସୱାନ୍ଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବାକୁ କହିଥିବା ଦଳ ଚିଠି ଶେୟାର କରି ସୂଚନା ଦେଇଛି।
ସୂଚନା ଥାଉକି ୨୦୨୧ରେ ଚିରାଗଙ୍କ ବାପା ତଥା ଲୋକ ଜନଶକ୍ତିପାର୍ଟିର ସଂସ୍ଥାପକ ରାମ ବିଳାଶ ପାସୱାନଙ୍କ ବିୟୋଗରେ ଦଳକୁ ହାତେଇ ନେଇଥିଲେ ତାଙ୍କ ଦାଦା ପଶୁପତି ପାରଶ। ଦଳୀୟ ନେତାଙ୍କୁ ନିଜ ପକ୍ଷରେ ନେଇ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଦଳୀୟ ନାଁ ଓ ଚିହ୍ନ ନେଇଯାଇଥିଲେ।
ଏହାପରେ ମାମଲା ହାଇକୋର୍ଟ ଯାଇଥିଲା। ହାଇକୋର୍ଟ ମଧ୍ୟ ଚିରାଗ ପିଟିସନ ଖାରଜ କରିଥିଲେ। ପରେ ନିର୍ବାଚନ କମିଶନ ଚିରାଗଙ୍କୁ ନୂଆ ଦଳ ନୂଆ ଚିହ୍ନ ଦେଇଥିଲେ। ଲୋକଜନଶକ୍ତି ପାର୍ଟି ସହିତ ରାମ ବିଳାଶ ପାସୱାନ୍ଙ୍କ ନାଁ ଲାଗିବା ସହିତ ଚିରାଗଙ୍କୁ ହେଲିକପ୍ଟର ଚିହ୍ନ ମିଳିଥିଲା।

କାହିଁକି ଚିରାଗଙ୍କୁ ଦଳକୁ ଫେରାଇ ଆଣିବାକୁ ଚାହୁଁଛି ବିଜେପି ?
ସେପଟେ ବିଜେପି ମଧ୍ୟ ସ୍ୱାର୍ଥ ଦୃଷ୍ଟିରୁ ପଶୁପତି ପାରଶଙ୍କୁ କ୍ୟାବିନେଟ୍ରେ ସାମିଲ କରିଥିଲା। ହେଲେ ସେତେବେଳେ ଚିରାଗ ପାଶୱାନ ଯେତେ ବିରୋଧ କରିଥିଲେ ବି ବିଜେପି ଶୁଣି ନଥିଲେ। କିନ୍ତୁ ପବନରେ ବେଗ ଓଲଟା ଜଣାପଡ଼ୁଛି। ବାପାଙ୍କ ମୃତ୍ୟୁ ପରେ ପୁତୁରା ଚିରାଗଙ୍କ ପ୍ରତି ଦାଦା ପଶୁପତି ପାରଶଙ୍କର ଏଭଳି ବ୍ୟବହାର ଲୋକଙ୍କ ମନରେ ସମ୍ବେଦନତା ସୃଷ୍ଟି କରିଛି। ଲୋକେ ଚିରାଗ୍ଙ୍କ ପକ୍ଷରେ ଥିବା ଦେଖାଯାଉଛି। ଅନ୍ୟପଟେ ମୋଦୀ କ୍ୟାବିନେଟ୍ରେ ପଶୁପତିଙ୍କ ପ୍ରଭାବ ହ୍ରାସ ହେଉଛି। ତେଣୁ ପବନର ଗତିକୁ ଦେଖି ବିଜେପି ଏଥର ଚିରାଗଙ୍କ ପ୍ରତି ଡଳିଛି। ଛୋଟ ଛୋଟ ବିରୋଧୀ ଦଳ ବିଜେପି ବିରୋଧରେ ମେଳି ବାନ୍ଧୁଥିବାରୁ ବିଜେପି ବିହାରରେ ଚିରାଗଙ୍କୁ ହନୁମାନ କରିବାକୁ ଚାହୁଁଛି।

ଏଥର ବିଜେପିରେ ନୂଆ ଦଳ
ଗତ କିଛି ବର୍ଷ ମଧ୍ୟରେ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି। ଅନେକ ଦଳ ମେଣ୍ଟ ଭାଙ୍ଗି ବିଜେପିକୁ ସହଯୋଗର ହାତ ବଢ଼ାଇଛନ୍ତି। ମହାରାଷ୍ଟ୍ରରେ ସିନ୍ଦେ ଶିବସେନା, ଅଜିତ ପାୱାରଙ୍କ ଏନ୍ସିପି, ବିହାର ଏବଂ ଉତ୍ତରପ୍ରଦେଶର ଅନ୍ୟ ଛୋଟ ଦଳ ଏବଂ ଉତ୍ତର-ପୂର୍ବ ରାଜ୍ୟର ଆଞ୍ଚଳିକ ଦଳ ସମେତ ଅନେକ ନୂଆ ଦଳ ବିଜେପି ସହଯୋଗୀ ସାଜିଛନ୍ତି। ଏହିସବୁ ଦଳଗୁଡ଼ିକ ଏନଡିଏ ବୈଠକରେ ସାମିଲ ହେବେ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଜିତନ ରାମ ମାଝୀଙ୍କୁ ବିଜେପିରେ ମିଶିବାକୁ ସ୍ୱାଗତ କରାଯାଇଛି। ସେ ମଧ୍ୟ ଜୁଲାଇ ୧୮ ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
