ବିନା ଭୋଟ୍ରେ ଉପନିର୍ବାଚନ ଜିତିଲେ ବିଜେପି ପ୍ରାର୍ଥିନୀ
11/02/2023 at 8:21 PM

ଇଟାନଗର: ବିନା ଭୋଟ୍ରେ ଉପନିର୍ବାଚନ ଜିତିଲେ ବିଜେପି ପ୍ରାର୍ଥିନୀ। ଶୁକ୍ରବାର ଅରୁଣାଚଳ ପ୍ରଦେଶର ତସେରିଙ୍ଗ ଲହମୁଙ୍କୁ ତୱାଙ୍ଗ ଜିଲ୍ଲାର ଲୁମ୍ଲା ନିର୍ବାଚନ ମଣ୍ଡଳିର ବିଧାୟିକା ଘୋଷଣା କରାଯାଇଛି। ସେ ବିନା ଭୋଟ୍ କିମ୍ବା ନିର୍ବାଚନରେ ବିଧାୟିକା ହୋଇଛନ୍ତି। ସେରିଙ୍ଗ ଲେହମୁ ହେଉଛନ୍ତି ପୂର୍ବତନ ବିଧାୟକ ଜାମ୍ବେ ତାଶୀଙ୍କର ପତ୍ନୀ। ତାଶୀ ଏହି ଆସନରୁ ୨୦୦୯ ଠାରୁ ଲଗାତର ନିର୍ବାଚନ ଜିତି ଆସୁଥିଲେ।
ଗତବର୍ଷ ନଭେମ୍ବର ମାସରେ ମାତ୍ର ୪୮ ବର୍ଷ ବୟସରେ ତାଶୀଙ୍କର ପରଲୋକ ହୋଇଥିଲା। ଗୁଆହାଟିରେ ଏକ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଏହାପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଲୁମ୍ଲା ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଏଥିରେ ତାଙ୍କ ପତ୍ନୀ ତସିରିଙ୍ଗ ନିର୍ବିରୋଧୀ ଭାବେ ବିଜୟୀ ହୋଇଛନ୍ତି। ଅପରାହ୍ନ ୩ଟା ବେଳେ ରିଟର୍ଣ୍ଣିଂ ଅଫିସର ରିଞ୍ଚି ଦୋର୍ଜୀ ଥୁଙ୍ଗୋନ ତସେରିଙ୍ଗ ବିଜୟୀ ଘୋଷଣା କରିଛନ୍ତି।
ତାଶୀଙ୍କ ବିୟୋଗ ପରେ ଲୁମଲା ଆସନରୁ ଉପନିର୍ବାଚନ ଆବଶ୍ୟକତା ଥିଲା। ନିର୍ବାଚନ ଲଢିବା ପାଇଁ ତସେରିଙ୍ଗ ଓ ପିପୁଲ୍ସ ପାର୍ଟି ଅଫ୍ ରୁଣାଚଳ (ପିପିଏ)ର ଲେକି ନର୍ବୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ପରେ ନର୍ବୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ ବୋଲି ମୁଖ୍ୟ ନିର୍ବାଚନ ଅଫିସର ଲାକେନ କୋୟୁ କହିଥିଲେ। ଫଳରେ ତସେରିଙ୍ଗ ନିର୍ବିରୋଧୀ ନିର୍ବାଚିତ ହୋଇଛନ୍ତି।
ଏହି ଉପନିର୍ବାଚନ ଜିତିବା ପରେ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ସଂଖ୍ୟା ୪୯ ହୋଇଥିବା ବେଳେ କଂଗ୍ରେସ ଓ ଏନ୍ପିପି ପାଖରେ ୪ ଜଣେ ଲେଖାଏ ବିଧାୟକ ଅଛନ୍ତି। ସେହିପରି ୩ ସ୍ୱାଧୀନ ବିଧାୟକ ଅଛନ୍ତି। ଆସନ୍ତା ବର୍ଷ ଅରୁଣାଚଳ ପ୍ରଦେଶରେ ନିର୍ବାଚନ ହେବାର ଅଛି। ପୂର୍ବଥର ଭଳି ଏଥରି ବି ଅରୁଣାଚଳ ପ୍ରଦେଶ ଆସନ ହାତେଇବାକୁ ଚେଷ୍ଟା କରିବ ବିଜେପି।