ଝାରସୁଗୁଡା ୧୦।୫: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ବିଭିନ୍ନ ବୁଥ୍ରେ ଭୋଟର ନିଜ ନିଜ ମତ ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬ ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ତେବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି, ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ । ନାଗରିକ ହିସାବରେ ମତଦାନ କରି ମୁଁ ଗର୍ବିତ । ଅସ୍ବାଭାବିକ ପରିସ୍ଥିତିରେ ଭିତରେ ଉପ-ନିର୍ବାଚନ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ୨୫୩ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର । ପୁରୁଷଙ୍କଠାରୁ ଅଧିକ ମହିଳା ଦେବେ ଭୋଟ୍ । ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୩୭ । ମୋଟ୍ ୨୫୩ ବୁଥରୁ ୨୬ଟି ପିଙ୍କ୍ ବୁଥ୍ ଏବଂ ୪୦ଟି ମଡେଲ୍ ବୁଥ୍ ରହିଛି । ୧୪୪ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ୧୧୯ଟି ବୁଥ୍କୁ ଜଗିଛି ଡ୍ରୋନ୍ କ୍ୟାମେରା । ୬୯ ବୁଥ୍ରେ ମାଇକ୍ରୋ ଅବଜଭର ରଖାଯାଇଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୧୬ ପ୍ଲାଟୁନ ଆର୍ମଡ ଫୋର୍ସ ସହ ୩୦୦ କନେଷ୍ଟବଳ ଏବଂ ହାବିଲଦାର, ୭ ଡ଼ିଏସପିଙ୍କ ସହ ୧୫୫ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର୍, ୧୦୮ ରିଜର୍ଭ ପୋଲିଂ ଅଫିସର୍, ୧୦୪ ଜଣ ମହିଳା ପୋଲିଂ ଅଫିସର୍ ଓ ୭୪ ଜଣ ମାଇକ୍ରୋ ଅବଜରଭର୍ ରହିଛନ୍ତି । ସମସ୍ତ ୨୫୩ଟି ବୁଥ୍ରେ ୱେବକାଷ୍ଟିଂ ହେବ । ବୁଥ୍ରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଲାଇଭ୍ ଫିଡ୍ ଏସ୍ପି ଓ ଡିଇଓଙ୍କ କାର୍ଯ୍ୟାଳୟରେ ନିରୀକ୍ଷଣରେ ରହିବ । ପୋଲିଂ ବୁଥଗୁଡ଼ିକୁ ପୋଲିସ ଛାଉଣୀରେ ରଖାଯାଇଥିବା ବେଳେ ଭୋଟିଂ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ତାକୁ ମୁକାବିଲା ପାଇଁ ପୋଲିସ ପକ୍ଷରୁ ୨୫ଟି ମୋବାଇଲ୍ ଟିମ୍ ନିୟୋଜିତ କରାଯାଇଛି । ଝାରସୁଗୁଡ଼ାର ସବୁ ବୁଥରେ ଓ୍ବେବ କାଷ୍ଟିଂ କରାଯାଇଛି ।