ଗୁଜରାଟରେ ସବୁ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ଏବଂ ଭୂପେନ୍ଦ୍ରଙ୍କ ଯୋଡି, ସୋଲଙ୍କୀଙ୍କ ବିଜୟ ବି ପଡିଲା ଫିକା

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ: ନରେନ୍ଦ୍ରଙ୍କ ରେକର୍ଡ ଭୂପେନ୍ଦ୍ର ଭାଙ୍ଗିବେ, ପିଏମ ମୋଦୀ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏହି କଥା କହିଥିଲେ । ଯାହା ଏବେ ସତ ପ୍ରମାଣିତ ହେବାରେ ଲାଗିଛି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୫୬ ଆସନରେ ବିଜୟୀ ହେଉଥିବା ଦେଖିବାକୁ ମିଳୁଛି । ୧୯୬୦ ମସିହାରେ ଗୁଜରାଟ ରାଜ୍ୟର ଗଠନ ହୋଇଥିଲା ଏବଂ ଏହା ପରଠୁ ଆଜି ଯାଏଁ କେହି ମଧ୍ୟ ଏତେ ସଂଖ୍ୟାରେ ଆସନ ହାସଲ କରି ନଥିଲେ ।  ୧୯୮୫ରେ କଂଗ୍ରେସର ମାଧବ ସିଂ ସୋଲଙ୍କୀଙ୍କ ନେତୃତ୍ୱରେ କଂଗ୍ରେସ ୧୪୯ ଆସନରେ ବିଜୟୀ ହୋଇଥିଲେ । ବିଜେପିର ଚଳିତ ବିଜୟକୁ ରେକର୍ଡ କୁହାଯାଉଛି । ବିଜେପିର ଏହି ବିଜୟ ଦଳ ପାଇଁ ଏକ ବଡ଼ ଉପହାର । ଏହାସହ ଦଳ ରାଜ୍ୟରେ ସପ୍ତମ ଥର ପାଇଁ କ୍ଷମତାକୁ ଫେରିଛି ।  

ଲଗାତାର ସପ୍ତମ ଥର ପାଇଁ ବିଜୟ ହାସଲ କରି ବିଜେପି ପାଇଁ ଏକ ରେକର୍ଡ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳ ୭ଥର ଜିତିଥିଲା । ପରବର୍ତ୍ତୀ ନିର୍ବାଚନ ଯାଏଁ ଗୁଜରାଟରେ ବିଜେପିର ୩୨ ବର୍ଷ ପୂରଣ ହୋଇଯିବ । ଏହିପରି ବିଜେପି କୌଣସି ରାଜ୍ୟରେ ସବୁଠୁ ଅଧିକ ସମୟ ଯାଏଁ ଶାସନରେ ରହିବାର ରେକର୍ଡ କରିବ । ଗୁଜରାଟର ବିଜେପିର ବିଜୟ କେତେ ବଡ ତାହା ଦଳର ଭୋଟ ପ୍ରତିଶତକୁ ମଧ୍ୟ ଅନୁମାନ କରାଯାଇ ପାରିବ । ରାଜ୍ୟରେ ଦଳକୁ ୫୩ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସ ମାତ୍ର ୨୬.୮ ପ୍ରତିଶତରେ ସୀମିତ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କ ଆପକୁ ୧୩.୬ ପ୍ରତିଶତ ଭୋଟ ମିଳିଛି । କଂଗ୍ରେସ ଭୋଟ କମିବା ପଛରେ ଏହା ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ୧୫୬ ଆସନରେ ବିଜୟୀ ହେବା ଏକ ବଡ଼ ଉପଲବ୍ଧି । ଏହି ସଂଖ୍ୟା ବହୁମତର ଆବଶ୍ୟକ ୯୨ ଆସନଠାରୁ ବହୁ ଅଧିକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.