ପଞ୍ଜାବ ପରେ ଏବେ ଗୁଜରାଟ ଉପରେ ଆପ୍‌ର ଆଖି; କେଜରିୱାଲ କହିଲେ, ବିଜେପି ଗର୍ବୀ ହୋଇଯାଇଛି, ଆମକୁ ଥରେ ସୁଯୋଗ ଦିଅ

Published By : Prameya-News7 Bureau | April 02, 2022 IST

ଗାନ୍ଧୀନଗର: ପଞ୍ଜାବ ହାତେଇବା ପରେ ଆପ୍‌ର ଆଖି ଏବେ ଗୁଜୁରାଟ ଉପରେ। ଏଥିପାଇଁ ଗୁଜୁରାଟରେ ଆମକୁ ଥରେ ସୁଯୋଗ ଦିଅ ବୋଲି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଆସନ୍ତା ବର୍ଷ ନିର୍ବାଚନ। ତେଣୁ ଏବେଠାରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କଲାଣି ଆପ୍।

ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହିତ ଗୁଜୁରାଟର ଅହମଦାବାଦରେ ଥିବା ସାବରମତୀ ଆଶ୍ରମ ବୁଲିଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଏହାପରେ ସେଠାରେ ଏକ ତ୍ରିରଙ୍ଗା ଯାତ୍ରା ନାମରେ ରୋଡ୍‌ ଶୋ କରିଥିଲା ଆପ୍‌। ଏହି ରୋଡ୍‌ ଶୋକୁ ସମ୍ବୋଧନ କରି କେଜରିୱାଲ ଗୁଜୁରାଟବାସୀଙ୍କୁ ଥରେ ଆପ୍‌କୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ବିଜେପି ଏଠାରେ ୨୫ ବର୍ଷ ହେଲା କ୍ଷମତାରେ ରହିଲାଣି। କିନ୍ତୁ ଭ୍ରଷ୍ଟାଚାରକୁ ଅଟକାଇ ପାରିଲା ନାହିଁ ବୋଲି ସେ କହିଛନ୍ତି।

ରାଲିରେ ସେ କହିଛନ୍ତି “ ମୁଁ ଏଠିକି କୌଣସି ଦଳକୁ ସମାଲୋଚନା କରିବାକୁ ଆସି ନାହିଁ। କି ବିଜେପି ଓ କଂଗ୍ରେସକୁ ପରାସ୍ତ କରିବାକୁ ଆସି ନାହିଁ। ମୁଁ ଏଠି ଗୁଜୁରାଟକୁ ଜିତାଇବାକୁ ଆସିଛି। ଆମେ ଗୁଜୁରାଟ ଓ ଗୁଜୁରାଟବାସୀ ବିଜୟ ଆଣିଦେବୁ। ଆମେ ଗୁଜୁରାଟ୍‌ରେ ଭ୍ରଷ୍ଟାଚାର ଦୂର କରିବୁ।”

ବିଜେପିକୁ ଗର୍ବୀ କହି କେଜରିୱାଲ କହିଛନ୍ତି “୨୫ ବର୍ଷ ହେଲା କ୍ଷମତାରେ ରହିବା ପରେ ବର୍ତ୍ତମାନ ବିଜେପି ଗର୍ବୀ ହୋଇଯାଇଛି। ସେମାନେ ଲୋକକଙ୍କ କଥା ଶୁଣୁ ନାହାନ୍ତି। ତେଣୁ ପଞ୍ଜାବ ଓ ଦିଲ୍ଲୀବାସୀଙ୍କୁ ଭଳି ଏଠି ଆମ୍ ଆଦ୍ମୀ ପାର୍ଟିକୁ ଥରେ ସୁଯୋଗ ଦିଅନ୍ତୁ। ଆଉ ଯଦି ଆମେ ଆପଣଙ୍କ ପସନ୍ଦର କାମ ନ କଲୁ ତେବେ ଆମକୁ ଆଗାମୀ ବର୍ଷରେ ବଦଳେଇ ଦେବେ। ଆମ ଆଦ୍ମୀ ପାର୍ଟିକୁ ଆପଣ ଥରେ ସୁଯୋଗ ଦେବେ ଆପଣ ସବୁ ଦଳକୁ ଭୁଲିଯିବେ।” ସେହିପରି ରାଲିକୁ ସମ୍ବୋଧନ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଗୁଜରାଟ ପାଳି।

ଏହା ପୂର୍ବରୁ ଦୁଇ ଆପ୍‌ ନେତା ସାବରମତୀ ଆଶ୍ରମ ଯାଇଥିଲେ। ସେଠାରେ  ହୃଦୟକୁଞ୍ଜ(ଗାନ୍ଧୀଙ୍କ ଭବନ)ରେ ଚର୍ଖା ଘୂରାଇବା ସହିତ ଗାନ୍ଧୀ ସ୍ମୃତି ବୁଲି ଦେଖିଥିଲେ।  ଏହାପରେ ଆଶ୍ରମ ଭିତରେ ଥିବା ମ୍ୟୁଜିୟମ ବୁଲିଦେଖିଥିଲେ କେଜରିୱାଲ ଓ ମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.