ଆର.ଅଶୋକ କୁମାରଙ୍କୁ କର୍ଣ୍ଣଟକ ବିରୋଧୀ ଦଳ ନେତା ନିଯୁକ୍ତ କଲା ବିଜେପି, ନିର୍ବାଚନ ପରଠୁ ଖାଲି ଥିଲା ପଦ
17/11/2023 at 9:11 PM

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶୁକ୍ରବାର ଆର. ଅଶୋକଙ୍କୁ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରିଛି । ଦଳୀୟ ବିଧାୟକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପିର ବରିଷ୍ଠ ବିଧାୟକ ଆର.ଅଶୋକ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । ସେ ପଦ୍ମନାଭନଗର ବିଧାନସଭା କ୍ଷେତ୍ରରରୁ ସାତ ଥର ବିଧାୟକ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ବିରୋଧୀ ଦଳ ନେତା ପାଇଁ ସୁନୀଲ କୁମାର, ଅଶ୍ୱଥ ନାରାୟଣ ଓ ଅରାଗା ଜ୍ଞାନେନ୍ଦ୍ର ଏହି ପାଇଁ ଦାବିଦାର ଥିଲେ । ଗତ ନିର୍ବଚାନରେ ବିଜେପି ବିରୋଧୀ ଦଳ ଆସନରେ ବସିଥିଲା । ଗତ ଜୁଲାଇରେ ହୋଇଥିବା ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ନଥିଲେ ।
ନିର୍ବାଚନ ସରିବାରର ଦୀର୍ଘ ମାସ ପରେ ବିଜେପି ଶୁକ୍ରବାର ଏହି ଘୋଷଣା କରିଛି । ଡିସେମ୍ୱର ୪ରେ ବେଲଗାଭୀରେ ବିଧାନସଭାର ଶୀତ ଅଧିନବେଶନ ଆରମ୍ଭ ପୂର୍ବରୁ ଏହି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମଇ ମାସରେ ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଶାସନରେ ଥିବା ବିଜେପିକୁ ହଟାଇ କଂଗ୍ରେସ ସରକାର ଗଠନ କରିଥିଲା । କଂଗ୍ରେସକୁ ୧୩୫, ବିଜେପିକୁ ୬୬ ଓ ଜେଡିଏସକୁ ୧୯ ଆସନ ମିଳିଥିଲା ।
ଏହା ପୂର୍ବରୁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଓ ପାର୍ଟିର ମହାସଚିବ ଦୁଷ୍ୟନ୍ତ କୁମାର ଗୌତମ ବିରୋଧୀ ନେତା ଚୟନ ପାଇଁ ବିଧାୟକ ଦଳ ବୈଠକ ପାଇଁ ବେଙ୍ଗାଲୁରୁ ପହଞ୍ଚିଥିଲେ । ପାର୍ଟିର ବରିଷ୍ଠ ନେତା ବି.ଏସ.ୟେଦିୟୁରପ୍ପାଙ୍କ ପୁଅ ଓ ନବନିଯୁକ୍ତ ପ୍ରଦେଶ ଅଧ୍ୟକ୍ଷ ବି.ୱାଇ.ବିଜୟେନ୍ଦ୍ର ବିମାନ ବନ୍ଦରରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିଥିଲେ ।
Also Read: କର୍ଣ୍ଣାଟକରେ ସଂଗଠନକୁ ନେଇ ବିଜେପିର ବଡ଼ ନିଷ୍ପତ୍ତି, ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ