ପ୍ରତ୍ୟୁଷା, ପିତାମ୍ବର ଓ ସୁବାସ ଚୌହାନ ହେଲେ ବିଜେପି ଉପସଭାପତି

Published By : Prameya-News7 Bureau | March 23, 2019 IST

ଭୁବନେଶ୍ଵର ୨୩/୩- ବିଜେପିର ତିନିଜଣ ବରିଷ୍ଠନେତାଙ୍କୁ ମିଳିଲା ନୂତନ ଦାୟିତ୍ଵ । ସାଧାରଣ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ରାଜ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ବରିଷ୍ଠ ବିଜେପି ସୁବାସ ଚୌହାନ, ବରିଷ୍ଠ ଆଇନଜୀବି ତଥା ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କୁ ଦଳର ଉପସଭାପତି ଦାୟିତ୍ଵ ଦିଆଯାଇଛି ।ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଘୋଷଣା କରିଛନ୍ତି ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟଯେ ପ୍ରତ୍ୟୁଷା ରାଜେଶ୍ଵରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସମ୍ଭଵତ ସେ ଦଳର କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଅପରପକ୍ଷରେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାପାଇଁ ଆଶାୟୀଥିବା ସୁବାସ ଚୌହାନଙ୍କ ସମର୍ଥକ ମାନେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳୀୟ ନେତୃବୃନ୍ଦଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ସୁବାସ ଚୌହାନଙ୍କ ବଦଳରେ ଦଳ ସୁରେଶ ପୂଜାରୀଙ୍କୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ବର୍ତ୍ତମାନ ଦଳର ମୁଖପାତ୍ର ଅଛନ୍ତି । କଟକ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଊଛି ।

ଟିକେଟ ନପାଇ ସୃଷ୍ଟି ହେଉଥିବା ଅସନ୍ତୋଷକୁ ହ୍ରାସ କରିବା ସହ ଦଳର କିଛି ନୂଆ ନେତାଙ୍କୁ ଦଳ ସହିତ ବାନ୍ଧି ରଖିବା ପାଇଁ  ଏଭଳି ନୂଆ ପଦପଦବୀ ବଣ୍ଟାଯାଉଛି ବୋଲି ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.