ପୂର୍ବୋତ୍ତର ବିଜୟ ପାଇଁ ପ୍ରସ୍ତୁତ ବିଜେପି, ନାଗାଲାଣ୍ଡ ଏବଂ ମେଘାଳୟ ଲାଗି ଘୋଷଣା କଲା ପ୍ରାର୍ଥୀ
2/02/2023 at 4:12 PM

ନୂଆଦିଲ୍ଲୀ: ପୂର୍ବୋତ୍ତର ରଣ ଜିତିବା ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଆରମ୍ଭ କରିଛି । ଗୁରୁବାର ପାର୍ଟି ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ୨୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାସହ ମେଘାଳୟର ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଜାରି କରିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଧାର୍ଯ୍ୟ ତାରିଖ ଅନୁସାରେ ଫେବ୍ରୁଆରୀରେ ମତଦାନ ପ୍ରକ୍ରିୟା ପରେ ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ।
ନାଗାଲାଣ୍ଡ ବିଜେପି ଅଧ୍ୟକ୍ଷ ଜେମଜେନ ଇମନା ଅଲୋଙ୍ଗ ସୂଚନା ଦେଇ କହିଛନ୍ତି ଯେ ବୁଧବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପାର୍ଟିର କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ ।
ନାଗାଲାଣ୍ଡରେ ବିଜେପି ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗେସିଭ ପାର୍ଟି (ଏନଡିପିପି) ସହ ଆସନ ବୁଝାମଣା କରିଛି । ରାଜ୍ୟରେ ବିଜେପି ୨୦ଟି ଆସନରେ ନିର୍ବାଚନ ଲଢିବ, ଏଥିପାଇଁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦୁଇ ଦଳ ୨୦:୪୦ ଫର୍ମୁଲାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ଶନିବାର କଂଗ୍ରେସ ପକ୍ଷରୁ ପ୍ରଥମ ସୂଚୀ ଜାରି କରାଯିବାର ସମ୍ଭାବନା ରହିଛି ।
We will contest on 20 out of 60 seats in Nagaland. Rest of the seats have been given to our alliance partner NDPP. We'll contest on all 60 seats in Meghalaya. Our tagline is 'M Power Meghalaya' means Modi-powered Meghalaya and a double-engine government will be formed there: BJP pic.twitter.com/AjN4jaLrjy
— ANI (@ANI) February 2, 2023
ବୁଧବାର ଦିଲ୍ଲୀରେ ହୋଇଥିବା ବୈଠକ ସମୟରେ ପାର୍ଟି ମେଘାଳୟର ସବୁ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଥିଲା । ନାଗାଲାଣ୍ଡ ଏବଂ ମେଘାଳୟ ଦୁଇ ରାଜ୍ୟରେ ଫେବ୍ରୁଆରୀ ୨୭ରେ ମତଦାନ ହେବ । ଅନ୍ୟପଟେ ବିଜେପି ଶାସିତ ତ୍ରିପୁରାରେ ଫେବ୍ରୁଆରୀ ୧୬ରେ ଭୋଟିଂ ହେବ ।