ପଶ୍ଚିମବଙ୍ଗ: ସମବାୟ ନିର୍ବାଚନରେ ବାମପନ୍ଥୀଙ୍କ ସହ ଏକଜୁଟ ହୋଇ ଲଢିଲା ବିଜେପି, ଖାତା ଖୋଲିପାରିଲାନି TMC

Published By : Prameya-News7 Bureau | November 08, 2022 IST

କୋଲକାତା ୮।୧୧: ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ଓ ବାମପନ୍ଥୀ ଏକଜୁଟ ହୋଇ ନିର୍ବାଚନ ଲଢିବା ସହ ବିଜୟୀ ହୋଇଛନ୍ତି। ଏଥିରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଶୋଚନୀୟ ପରାସ୍ତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ସମବାୟ ସମିତି ନିର୍ବାଚନରେ ବିଜେପି ଓ ବାମପନ୍ଥୀ ମେଣ୍ଟ କରି ଲଢିଥିଲେ। ଫଳରେ ତୃଣମୂଳ ପରାସ୍ତ ହୋଇଛି। ପରାଜୟରେ ବିଚଳିତ ଟିଏମସି ନିର୍ବାଚନରେ ବିଜେପି ଓ ବାମପନ୍ଥୀଙ୍କ ଭିତିରିମେଣ୍ଟ ପଦାରେ ପଡିଯାଇଛି ବୋଲି କହିଛି।

ବହରାମପୁର କୋ-ଅପରେଟିଭ ଏଗ୍ରିକଲଚର ସୋସାଇଟି ନିର୍ବାଚନରେ ତୃଣମୂଳ ଖାତା ଖୋଲିବାକୁ ବି ସମର୍ଥ ହୋଇନି। ଏଠାରେ ମୋଟ ଆସନ ସଂଖ୍ୟା ୬୩ ଥିବା ବେଳେ ୫୨ ଆସନରେ ବିଜେପି ଓ ବାମମୋର୍ଚ୍ଚା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବଳକା ୧୧ ସିଟ୍‌ରୁ ମଧ୍ୟ ଗୋଟିଏ ବି ଟିଏମସିକୁ ମିଳି ନାହିଁ। ନିର୍ବାଚନ ପୂର୍ବରୁ ବିଜେପି ଓ ବାମମୋର୍ଚ୍ଚା ସମବାୟ ବଞ୍ଚାଅ ନାମରେ ସମିତି ଗଢିଥିଲେ। ପରେ ଏହି କମିଟିରୁ ମେଣ୍ଟ କରି ଉଭୟ ଦଳ ରାଜ୍ୟର ସବୁ ସମବାୟ ସମିତି ହାତେଇ ନେଇଛନ୍ତି।

ତୃଣମୂଳ କଂଗ୍ରେସ ପକ୍ଷରୁ ୪୬ଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ତେବେ ନିର୍ବାଚନର ଠିକ୍ ପୂର୍ବରୁ ୩୫ଟି ଆସନରେ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଥିଲେ। ବିଜେପି ଓ ବାମ ମୋର୍ଚ୍ଚାର ଏହି ବିଜୟରେ ତୃଣମୂଳ ମୁଖପାତ୍ର କୁଣାଲ ଘୋଷ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ଓ ବାମମୋର୍ଚ୍ଚାର ଭିତିର ସମ୍ପର୍କଏବେ ପଦାରେ ପଡିଯାଇଛି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆଗାମୀ ବର୍ଷ ପଞ୍ଚାୟତ ନିର୍ବାଚନ। ଏଣୁ ସବୁ ରାଜନୈତିକ ଦଳ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲଢେଇ ରୋଚକ ହୋଇପାରେ। ୨୦୧୮ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ୯୦ପ୍ରତିଶତ ପଞ୍ଚାୟତ କ୍ଷମତାସୀନ ତୃଣମୂଳ କଂଗ୍ରେସ ହାତେଇ ନେଇଥିଲା। ଏଥିରୁ ୩୪ଟି ପଞ୍ଚାୟତରେ ଟିଏମସି ବିନା ପ୍ରତିଦ୍ୱନ୍ଦ୍ୱୀତାରେ ନିର୍ବାଚିତ ହୋଇଥିଲା। ତେବେ ବିରୋଧୀ ଦଳମାନେ ଟିଏମସି ଗୁଣ୍ଡାଙ୍କ ଭୟରେ ପ୍ରାର୍ଥିପତ୍ର ଦାଖଲ କରିନଥିଲେ ବୋଲି ପରେ ଅଭିଯୋଗ  ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.