ବିଜେପିକୁ ଜେଡିୟୁର ଝଟକା: ଆଦିବାସୀ ରିଲିଜିୟନ କୋଡ୍ ବିରୋଧରେ ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନର ଧମକ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ଝାରଖଣ୍ଡ ରାଜ୍ୟ ସଭାପତି ସଲଖାନ ମୁର୍ମୁ କହିଛନ୍ତି, ଯଦି କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଦ୍ଵାରା ଗୃହୀତ ଆଦିବାସୀ କୋଡ୍‌କୁ ଅନୁମୋଦନ ନଦିଅନ୍ତି ତେବେ ଡିସେମ୍ବର ୬ରେ ଦେଶବ୍ୟାପୀ ଚକା ଜାମ କରାଯିବ।

ମୁର୍ମୁ କହିଛନ୍ତି, ସମଗ୍ର ଦେଶରେ ଆଦିବାସୀ ସମୁଦାୟକୁ ଏକ ଅଲଗା ଧାର୍ମିକ ସଂପ୍ରଦାୟର ମାନ୍ୟତା ଦେବା ଦାବି ଦୀର୍ଘ ସମୟରୁ କରାଯାଉଛି। ଏବେ ଗୋଟିଏ ରାଜ୍ୟରେ ଏହି ସଂପର୍କିତ ପ୍ରସ୍ତାବ ପାରିତ ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କୁ ଏହା ସ୍ଵୀକାର କରିବାକୁ ପଡିବ ବୋଲି ସେ କହିଛନ୍ତି।

ନଭେମ୍ବର ୧୧ରେ ଗୃହର ସ୍ଵତନ୍ତ୍ର ଅଧିବେଶନରେ ଜନଜାତି ସମୁଦ୍ରାୟର ସଦସ୍ୟଙ୍କ ପାଇଁ ଏକ ଅଲଗା ‘ସର୍ଣ୍ଣ କୋଡ୍’ ପାରିତ ହୋଇଛି। ଏହି ବିଧେୟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ଵରେ ଧ୍ଵନିମତରେ ପାରିତ ହୋଇଛି। ଯଦି କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦିଅନ୍ତି ତେବେ ୨୦୨୧ ଜନଗଣନାରେ ସମୁଦାୟ ପାଇଁ ଏକ ଅଲଗା କଲମ୍ ରହିବ। ଏଥିରେ ଏହି ସମୁଦାୟର ସଦସ୍ୟଙ୍କୁ ଏକ ଅଲଗା ଧାର୍ମିକ ସଂପ୍ରଦାୟ ଭାବେ ନିଜର ପରିଚୟ ସୃଷ୍ଟି କରିବାର ଅନୁମତି ମିଳିବ।

ଉଲ୍ଲେଖଯୋଗ୍ୟ, ନିକଟରେ ଜେଡିୟୁ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ଏନଡିଏ ସହ ମିଶି ବିହାର ବିଧାନସଭା ନିର୍ବାଚନ ଲଢିଥିଲା। କିନ୍ତୁ ଗତ ବର୍ଷ ଝାଡଖଣ୍ଡ ବିଧାନସଭାରେ ବିଜେପି ଓ ଜେଡିୟୁ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ମୁର୍ମୁ କହିଛନ୍ତି, ଆମେ ନିଜର ଦାବି ଜଣାଇବା ପାଇଁ ମଙ୍ଗଳବାର ରାଜଧାନୀ ରାଞ୍ଚିରେ ଏକ ପ୍ରତୀକାତ୍ମକ ମୋଟର ସାଇକେଲ୍ ରାଲି ଆୟୋଜନ କରିବୁ। ସେ ଏହା ମଧ୍ୟ  କହିଛନ୍ତି, ପାର୍ଟି ଲମ୍ବା ସଂଘର୍ଷ ପାଇଁ ପ୍ରସ୍ତୁତ ଓ ପାର୍ଟି ନେତୃତ୍ଵ ଏଥିରେ ଅବଗତ ଅଛନ୍ତି।

ତାଙ୍କୁ ପଚରା ଯାଇଥିଲା ଯେ, କେନ୍ଦ୍ରରେ ତୁମ ପାର୍ଟି ସରକାରର ଅଂଶୀଦାର ରହିଛି, ତେଣୁ ଆପଣଙ୍କୁ ପ୍ରଦର୍ଶନର ଆବଶ୍ୟକତା କଣ ପାଇଁ ପଡୁଛି। ଜବାବରେ ଜେଡିୟୁ ରାଜ୍ୟ ସଭାପତି କହିଛନ୍ତି, ଆଦିବାସୀଙ୍କ ଦାବି ଉପରେ କଂଗ୍ରେସ ଓ ବିଜେପିର ଦୃଷ୍ଟିକୋଣରେ ବିଶେଷ ଫରକ ନାହିଁ। ସେମାନେ ଆଦିବାସୀ ଜନଜାତିଙ୍କୁ ଗମ୍ଭୀରତାର ସହ ନିଅନ୍ତି ନାହିଁ। ତେଣୁ ଆମକୁ ଆନ୍ଦୋଳନ କରିବାର ଆବଶ୍ୟକତା ରହିଥିବା ମୁର୍ମୁ କହିଛନ୍ତି। ଏହା ଏଥିପାଇଁ ମଧ୍ୟ ଜରୁରୀ ଯେ, ଗତ ମାସରେ କେନ୍ଦ୍ର ସରକାର ଓ ବିଜେପି ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ନିକଟକୁ ପଠାଯାଇଥିବା ଚିଠିର ଏ ପର୍ଯ୍ୟନ୍ତ କୌଣସି ସକରାତ୍ମକ ପ୍ରତିକ୍ରିୟା ମିଳି ପାରି ନାହିଁ।

ଆଦିବାସୀ ଗ୍ରୁପ ଆଦିବାସୀ ସେଙ୍ଗେଲ ଅଭିଯାନ(ଏଏସଏ)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଛନ୍ତି। ଏହି ସଂଘର ଉପସ୍ଥିତି ଅତି କମରେ ପାଞ୍ଚ ରାଜ୍ୟ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ଆସାମ ଓ ବିହାରରେ ରହିଛି। ଏହା ପୂର୍ବରୁ ସଂଗଠନ ଭାରତର ରାଷ୍ଟ୍ରପତି, କେନ୍ଦ୍ର ଗୃହ ମନ୍ତ୍ରୀ, ବିଜେପି ଓ କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କୁ ଚିଠି ଲେଖିଥିଲେ। ଏହା ସହିତ ସମ୍ବନ୍ଧିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଲୋକଙ୍କଠାରେ ଆଦିବାସୀଙ୍କୁ ଏକ ବିଶିଷ୍ଟ ଧାର୍ମିକ ମାନ୍ୟତା ଦେବାକୁ ଦାବି କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.