କେଜ୍ରିଓ୍ୱାଲ ସରକାରଙ୍କୁ ବିଜେପିର ଟାର୍ଗେଟ୍ : 'ଶୀଘ୍ର ସିସୋଦିଆଙ୍କୁ ମନ୍ତ୍ରୀ ପଦରୁ ହଟାଯାଉ'

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: ଦିଲ୍ଲୀ ସରକାରଙ୍କ ନୁତନ ଅବକାରୀ ନୀତିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସରକାରୀ ବାସଭବନରେ ସିବିଆଇ ଚଢଉ କରିବା ପରେ ବିଜେପି ରାଜରାସ୍ତାରେ ପ୍ରଦର୍ଶନ କରୁଛି । ଏହାପରେ ଲଗାତର ଆମ୍ ଆଦମୀ ପାର୍ଟି ବିରୋଧି ଦଳଙ୍କ ଟାର୍ଗେଟରେ ରହୁଛି ।  

ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ଗୌରଭ ଭାଟିଆ ଏ ପ୍ରସଙ୍ଗରେ କେଜ୍ରିଓ୍ୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କେଜ୍ରିଓ୍ୱାଲ ଶୀଘ୍ର ମନୀଷ ସିସୋଦିଆଙ୍କୁ ମନ୍ତ୍ରୀ ପଦରୁ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କ ପାଇଁ ସରକାର ୯୦୦ କୋଟି ଟଙ୍କା କ୍ଷତି ସହିଥିବା ସେ ଅଭିଯୋଗ କରିଛନ୍ତି ।

ଗୌରବ ଭାଟିଆ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସିବିଆଇ ତଥା ଅନ୍ୟ ତଦନ୍ତକାରୀ ସଂସ୍ଥା ନିଜ ନିଜର କାମ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ସିସୋଦିଆ ନିଜ ଦୋଷ ଲୁଚାଇପାରିବେ ନାହିଁ । ଯଦି ସତରେ ସିସୋଦିଆ ନିର୍ଦ୍ଦୋଷ ତେବେ ଲୋକଙ୍କ ସମ୍ମୁଖକୁ ଆସି ଜବାବ ରଖନ୍ତୁ ବୋଲି ସେ କହିଛନ୍ତି । ନ୍ୟୁୟର୍କ ଟାଇମ୍ସ ମାଗାଜିନକୁ ବ୍ୟବହାର କରି ଦୁର୍ନୀତିରୁ କେହି ରକ୍ଷା ପାଇପାରିବେ ନାହିଁ । କେଜ୍ରିଓ୍ୱାଲଙ୍କ ପାଖରେ ମଧ୍ୟ ଦୁର୍ନୀତି ଅଭିଯୋଗର କୌଣସି ଉତ୍ତର ନାହିଁ ।

ଅନ୍ୟ ଦିଗରେ ସୋମବାର ମନୀଷ ଟ୍ୱିଟ୍ କରିଥିଲେ । ବିଜେପିରୁ ସନ୍ଦେଶ ଆସିଛି । ଯଦି ସେ ଆପ୍ ଛାଡି ବିଜେପିରେ ଯୋଗ ଦିଅନ୍ତି ତେବେ ସିବିଆଇ ଓ ଇଡି ଚଢଉ କରିବା ବନ୍ଦ କରିଦେବ । ସେ ମହାରାଣା ପ୍ରତାପଙ୍କ ବଂଶଜ । ରାଜପୁତ ଅଟନ୍ତି । କେବେ ଷଡଯନ୍ତ୍ରକାରୀଙ୍କ ଆଗରେ ନଇଁବେ ନାହିଁ ବୋଲି ଟ୍ୱିଟ୍ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.