ନାରା ଦିଆଯାଇଥିଲା ୪୦୦, ହେଲେ ୩୦୦ ପାଇଁ ସଂଘର୍ଷ କରୁଛି ଏନଡିଏ ! ଏହି ୪ ରାଜ୍ୟରେ ଭେଳା ବୁଡ଼ିଲା

Published By : Prameya-News7 Bureau | June 04, 2024 IST

aajtak

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ଏନଡିଏ 'ଅବ କି ବାର ୪୦୦ ପାର' ନାରା ଦେଉଥିଲା। ମାତ୍ର ଫଳାଫଳ ଆସିବା ପରେ ଏବେ ବିଜେପି ବିଚାର ବିମର୍ଶ କରିବାକୁ ବାଧ୍ୟ ହେବ। କେଉଁଠି ତ୍ରୁଟି ରହିଲା ତାର ଆତ୍ମ ମନ୍ଥନ ହେବ। ଯେଉଁ ରାଜ୍ୟଗୁଡ଼ିକ ବଳରେ ବିଜେପି ନେତା ହୁଙ୍କାର ଭରୁଥିଲେ, ସେହି ରାଜ୍ୟରେ ହିଁ ବିଜେପି ଧରାଶାୟୀ ହୋଇଛି। ଗୋଟିଏ କି ଦୁଇଟି ନୁହେଁ ମୋଟ୍ ୪ ବଡ଼ ରାଜ୍ୟରେ ବିଜେପି  ଏମିତି ସ୍ଥିତି ଭୋଗିବ ବୋଲି ଦଳ କେବେ ଭାବି ନ ଥିଲା।

ନିର୍ବାଚନର ଫଳାଫଳ ଏମିତି କଡ଼ ଲେଉଟାଇବ ତାର ଅନୁମାନ କରାଯାଇ ନ ଥିଲା। ବିଜେପିକୁ ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରୁ ହିଁ ବଡ଼ ଝଟକା ଲାଗିଛି। ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ ବହୁତ ନିରାଶ ହେବାକୁ ପଡ଼ିଛି। 

ଏହା ସହିତ ବିଜେପିକୁ ପଶ୍ଚିମବଙ୍ଗରୁ ବହୁତ ଭଲ କରିବ ବୋଲି ଆଶା ଥିଲା। ମାତ୍ର ପୁଣି ଥରେ ମମତା ବାନାର୍ଜୀ ବିଜେପି ଉପରେ ଭାରି ପଡ଼ିଛନ୍ତି। ବିଜେପି ଆଶା କରିଥିଲା ଯେ, ପୂର୍ବାପେକ୍ଷା ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ। ହେଲେ ଅଧିକ ସିଟ୍ ଜିତିବା କଥା ଛାଡ଼ନ୍ତୁ ଗତ ନିର୍ବାଚନରୁ ମଧ୍ୟ ବିଜେପି ଏଥର କମ ସିଟ୍ ମିଳୁଛି।

ଏହି ଚାରି ରାଜ୍ୟରେ ଦୟନୀୟ ପ୍ରଦର୍ଶନ କାରଣରୁ ବିଜେପି ନିଜେ ବହୁମତଠୁ ବହୁତ ଦୂରରେ ରହିଗଲା। ୨୦୧୯ ତୁଳନାରେ ବିଜେପି ପ୍ରାୟ ୬୦ ସିଟ୍ ହରାଉଛି। ନିର୍ବାଚନ ପୂର୍ବରୁ ଏନଡିଏ ୪୦୦ ପାରାର ନାରା ଦେଉଥିଲା। ମାତ୍ର ଏବେ ଏନଡିଏକୁ ୩୦୦ ସିଟ୍ ପାଇଁ ସଂଘର୍ଷ କରିବାକୁ ପଡ଼ିଛି। ଏହାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ଯେ ଏନଡିଏକୁ ୩୦୦ରୁ କମ ସିଟ୍ ମିଳିବ।

ଉତ୍ତର ପ୍ରଦେଶରେ ସବୁଠୁ ଅଧିକ କ୍ଷତି

ସବୁଠୁ ବଡ଼ ଝଟକା ବିଜେପିକୁ ଉତ୍ତର ପ୍ରଦେଶରେ ଲାଗିଛି। ଏଠାରେ ୮୦ ସିଟରୁ ବିଜେପି ଅଧା ସିଟ୍ ବି ଜିତିବା ସ୍ଥିତିରେ ନାହିଁ। ଗତ ନିର୍ବାଚନରେ ବିଜେପି ୬୨ ସିଟ୍ ଜିତିଥିବା ବେଳେ ଏଥର ୪୦ରୁ କମ ସିଟ୍ ଜିତୁଥିବା ସଙ୍କେତ ମିଳିଛି। ଏହିପରି ୟୁପିରୁ ବିଜେପିକୁ ଅତିକମରେ ୨୫ ସିଟ୍ କ୍ଷତି ସହିବାକୁ ପଡ଼ିଛି। 

ପଶ୍ଚିମବଙ୍ଗରେ ବିଜେପିକୁ ୨୦୧୯ରେ ୧୮ ସିଟ୍ ମିଳିଥିଲା। ମାତ୍ର ଏଥର ଦଳ ୧୧ ସିଟରେ ସୀମିତ ରହିପାରେ। ଏଠାରେ ବିଜେପି ନିଜର ପୁରା ଶକ୍ତି ଖଟାଇଥିଲା। ଅନ୍ୟପଟେ ରାଜସ୍ଥାନରେ ବିଜେପି ମେଣ୍ଟକୁ ୨୦୧୯ରେ ସମସ୍ତ ୨୫ ସିଟରେ ବିଜୟ ମିଳିଥିଲା।କିନ୍ତୁ ଏଥର ନିର୍ବାଚନରେ ମାତ୍ର ୧୪ ସିଟ୍ ମିଳୁଥିବା ଭୋଟ୍ ଗଣତିରୁ ଜଣା ପଡ଼ିଛି। ଏହା ବ୍ୟତୀତ ମହାରାଷ୍ଟ୍ରରେ ବିଜେପିର କ୍ଷତି ଘଟୁଥିବା ବେଳେ ଶିବସେନା(ଉଦ୍ଧବ ଗୋଷ୍ଠୀ)କୁ ଫାଇଦା ମିଳିଛି। 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.