ପଦ୍ମପୁର ଦୁର୍ଗ ବଜାୟ ରଖିଲା ବିଜେଡି, ୪୨,୬୩୮ ଭୋଟ୍‌ରେ ଜିତିଲେ ବର୍ଷା

Published By : Prameya-News7 Bureau | December 08, 2022 IST

ପଦ୍ମପୁର, ୦୮/୧୨: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସରିଲା ଭୋଟ୍ ଗଣତି । ପଦ୍ମପୁରରେ ପଦ୍ମ ଫୁଟିବା ବଦଳରେ ଶୁଭିଲା ଶଙ୍ଖ ଧ୍ୱନି । ବଡ଼ ବ୍ୟବଧାନରେ ପରାଜିତ ହେଲେ ବିରୋଧୀ ଦଳର ପ୍ରାର୍ଥୀ । ୪୨,୬୩୮ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀ ବର୍ଷା ସିଂହ ବରୁହା । ଗଣତିର ପ୍ରଥମ ରାଉଣ୍ଡରୁ ଭାରି ପଡ଼ିଥିଲେ ବର୍ଷା । ପ୍ରତ୍ୟକ ରାଉଣ୍ଡ୍‌ରେ ଆଗରେ ରହିଥିଲେ । ମୋଟ ୨୪ଟି ରାଉଣ୍ଡ୍‌ ଗଣନାରେ ବର୍ଷାଙ୍କୁ ୧,୨୦,୬୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮,୦୩୪ ଖଣ୍ଡ ଭୋଟ୍‌ ମିଳିଛି । ସେହିଭଳି କଂଗ୍ରେସ୍‌ର ସ୍ଥିତି ଶୋଚନୀୟ ହୋଇ ପଡ଼ିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ମୋଟ ୩,୫୮୧ ଖଣ୍ଡ ଭୋଟ ମିଳିଛି ।

ସୂଚନା ଥାଉକି ଚଳିତ ମାସ ୫ ତାରଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଇଭିଏମରେ ସିଲ୍ ହୋଇଥିଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଥିଲେ ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ସନ୍ଧ୍ୟା ୬ଟା  ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା । ଭୋଟ୍ ସମୟରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନିଜ ନିଜ ଅଂଚଳରେ ହୋଇଥିବା ବୁଥରେ ଯାଇ ଭୋଟ୍ ଦେଇଥିଲେ ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ ।

ପଦ୍ମପୁରରେ କାଁ ଭାଁ ଉତ୍ତେଜନାକୁ ଛାଡ଼ିଦେଲେ ଶାନ୍ତି ଶୃଙ୍ଖଳାର ସହ ସରିଥିଲା ମତଦାନ ପ୍ରକ୍ରିୟା । ୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ଣ ୪ରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା । ୩୧୯ ବୁଥରୁ ଇଭିଏମ ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିଆଯାଇ ପଦ୍ମପୁର ଆରଏମସିରେ ରଖାଯାଇଥିଲା । ଷ୍ଟ୍ରଙ୍ଗରୁମକୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.