ରାଜି ହେଲେନି ଶଶିଭୂଷଣ, କେନ୍ଦ୍ରାପଡା ପାଇଁ ବିଜେଡି ଆଜି ଘୋଷଣା କରିବ ପ୍ରାର୍ଥୀ : ସମ୍ପୂର୍ଣ ନୂଆ ମୁହଁ ଉପରେ ଫୋକସ
8/04/2019 at 8:46 AM

ଭୁବନେଶ୍ୱର ୮/୪ : ୧୪୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବିଜେଡି ଏବେ ମଧ୍ୟ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ | ଏହି ଆସନ ହେଉଛି କେନ୍ଦ୍ରାପଡା ବିଧାନସଭା ଆସନ | ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ | ତେଣୁ ଆଜି ବିଜେଡି ସୁପ୍ରିମୋ କେନ୍ଦ୍ରାପଡା ପ୍ରାର୍ଥୀ ଘୋଷଣା କରିପାରନ୍ତି | ଗତକାଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିବା ପାଇଁ ଚାଲିଥିବା ବିଚାର ବିମର୍ଷ ପରେ ପୂର୍ଣ୍ଣଛେଦ ପଡିଛି | କାରଣ ନିଜେ ଅର୍ଥମନ୍ତ୍ରୀ ଏଥିପାଇଁ ଅସମ୍ମତି ପ୍ରକାଶ କରିଛନ୍ତି | ଜୟଦେବ ଆସନରୁ ଶଶିଭୂଷଣଙ୍କ ଟିକଟ କାଟିବା ପରେ ତାଙ୍କୁ କେନ୍ଦ୍ରାପଡାରେ ଥଇଥାନ କରିବା ପାଇଁ ବିଜେଡି ଯୋଜନା କରିଥିଲା | କିନ୍ତୁ ଏହା ହୋଇପାରିନାହିଁ | ଏବେ ପ୍ରଶ୍ନ ଉଠୁଛି କେନ୍ଦ୍ରାପଡାରୁ କାହାକୁ ପ୍ରାର୍ଥୀ କରାଯିବ |
କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କୁ ପ୍ରାର୍ଥୀ ନକରିବା ପାଇଁ ଆରମ୍ଭ ରୁ ହିଁ ବିଜେଡି ମନସ୍ଥ କରିସାରିଥିଲା | ସେଥିପାଇଁ ବିଜେଡି ଟିକେଟ ପାଇବା ଲାଗି କେନ୍ଦ୍ରାପଡାରୁ ୧୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ଲବି ଚଳାଇଥିଲେ | କିନ୍ତୁ ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦ ଜଣ ଆଶାୟୀଙ୍କ ମଧ୍ୟରୁ କାହାକୁ ଟିକେଟ ନଦେଇ କେନ୍ଦ୍ରାପଡାରେ ସମ୍ପୂର୍ଣ ନୂଆ ମୁହଁ ଦେବାକୁ ଯୋଜନା କରାଯାଇଛି | କିନ୍ତୁ ବିଜେଡିରେ ଯେହେତୁ ଘଡିକେ ଘୋଡା ଛୁଟୁଛି ତେଣୁ ଶେଷ ମୁହୂର୍ତ୍ତରେ ଏ ଅଙ୍କ ମଧ୍ୟ ବଦଳିଯିବ ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ | ଜଣେ ମହିଳା ପ୍ରାର୍ଥୀଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯାଉଥିବା ସମ୍ପର୍କରେ ଜୋରସୋରରେ ଚର୍ଚ୍ଚା ହେଉଛି |
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡାରେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ ୨ ଦିନ ତଳେ ବିଜେପି ସେଠାରୁ ସୁନାକାର ବେହରାଙ୍କୁ ପ୍ରାର୍ଥୀ କରିଛି | କେନ୍ଦ୍ରାପଡା ଲୋକସଭ ଆସନରୁ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାରୁ ଏହି ଆସନ ଏବେ ବିଜେଡି ପାଇଁ ଗୁରୁତ୍ୱପୂର୍ଣ ହୋଇପଡିଛି | କେନ୍ଦ୍ରାପଡା ଲୋକସଭା ପାଇଁ ବୈଜୟନ୍ତ ପଣ୍ଡା ଏବଂ ଏହି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ଆସନର ବିଜେପି ପ୍ରାର୍ଥୀମାନେ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି | ଏଥିପାଇଁ ଦଳ ପକ୍ଷରୁ କେନ୍ଦ୍ରାପଡାରେ ବ୍ୟାପକ ଆୟୋଜନ କରାଯାଇଛି |
ବିଜେପିର ସବୁ ମୁଭକୁ ଚ୍ୟାଲେଞ୍ଜ ଦେବା ପାଇଁ ବିଜେଡି ଉଦ୍ୟମ କରୁଥିଲେ ମଧ୍ୟ ଏଯାଏଁ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ନକରିବା ଦଳକୁ ଵ୍ୟାକଫୁଟରେ ରଖିଛି |