ଭୁବନେଶ୍ବର: ଯାଜପୁରକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି । ଗତ ଗୁରୁବାର ରାତିରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା ପରେ ରାଜନୀତି ତେଜିବାରେ ଲାଗିଛି। ପୁଣି ନୂଆ ହାଟ ଓ ପୁରୁଣା ହାଟକୁ ନେଇ ବିବାଦ ମଧ୍ୟ ଉଗ୍ର ରୂପ ଧାରଣ କରିଛି । ଆଉ ଏସବୁ ବିବାଦକୁ ନେଇ ବିଜେଡି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।
ଏହି କ୍ରମରେ ସୋମବାର ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ। ଦଳ କହିଛି ‘ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ିଯାଇଛି। ପୋଲିସ ବିଜେପି ସରକାରଙ୍କ ହାତବାରିସୀ ସାଜିଛି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରୁଥିବା ବିଜେପି କର୍ମୀଙ୍କୁ ଛାଡ଼ି ବିଜେଡି କର୍ମୀଙ୍କୁ ବନ୍ଧା ଯାଉଛି। ବର୍ତ୍ତମାନ ସାରା ଓଡ଼ିଶାରେ ଦମନ ଲୀଳା ଚାଲିଛି। ଗଣତାନ୍ତ୍ରିକ ପଦ୍ଧତିରେ କେହି କିଛି କହି ପାରିବେ ନାହିଁ।ତାଙ୍କୁ ଦମନ କରାଯିବ। ଗତ ୫ମାସରେ ୧୨୫୬ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି। ଛିନତାଇରେ ଭୁବନେଶ୍ୱର ଓ ଡକାୟତିରେ ସମ୍ବଲପୁର ଏକ ନମ୍ବର। ’
ସେ ଆହୁରି କହିଛନ୍ତି ଧର୍ମଶାଳା ବିଧାୟକ ଯାଜପୁର ଯାଉଥିଲେ। ସେଠାରେ କିଛି ଲୋକ ଧାରଣା ଦେଉଥିଲେ। ଏହି ସମୟରେ ଗଣ୍ଡଗୋଳ ହେଲେ। ହେଲେ ୧୯ ଜଣ ବିଜେଡି ଲୋକ ଗିରଫ ହେଲେ । ବିଧାୟକଙ୍କ ସହ ଠେଙ୍ଗା ଧରି ଯାଇଥିବା କେହିବି ଗିରଫ ହେଲେନି। ବିଧାୟକଙ୍କ ସୁନା ଚେନ ଖୋଜିବାକୁ କ୍ରାଇମ ବ୍ରାଞ୍ଚକୁ ଦିଆଗଲା। ନିଜ ପୋଲିସ ଉପରେ ଭରସା ନାହିଁ। ପୋଲିସ ନିରପେକ୍ଷ ହୋଇ କାମ କରୁ। ଠେଙ୍ଗା ଧରାଙ୍କୁ ଗିରଫ କର। ଭବ ପ୍ରସାଦ ଦାସ ଜଣେ ରୋଗୀ। ତାଙ୍କୁ ଗିରଫ ମାନବୀୟ ନୁହେଁ । ଦମ ଅଛି ତ’ ବିଧାୟକଙ୍କ ସହ ଥିବା ଲୋକଙ୍କୁ ଗିରଫ କରୁ ପୋଲିସ। ସରକାରଙ୍କ ଚାପରେ ପୋଲିସ ଚେପା ନ ହେଉ। ବିଜେଡି ହେଉ କି ବିଜେପି, ଯିଏ ବି ଭୁଲ କରିଛି ଗିରଫ କରାଯାଉ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।