୨୪ରୁ ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ; ବିକାଶକୁ ଆଧାର କରି ହିଞ୍ଜିଳିରୁ ଭୋଟ୍ ଭିକ୍ଷା

Published By : Prameya-News7 Bureau | April 22, 2024 IST

ଭୁବନେଶ୍ୱର,୨୨/୦୪: ବିଜେଡିର ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୪ ତାରିଖରୁ ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରଚାର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେବ ୨୦୨୪ ମହସଂଗ୍ରାମ । ବିକାଶକୁ ଆଧାର କରି ବିଜୁ ଜନତା ଦଳ ତଥା ନିଜ ପାଇଁ ଭୋଟ୍ ଭିକ୍ଷା କରିବେ ନବୀନ । ଏଥିପାଇଁ ହିଞ୍ଜିଳିକାଟୁରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେଡି ଦଳ ପକ୍ଷରୁ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ୨୪ ତାରିଖରେ ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ବିଜେଡିକୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିବେ । ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମ ବିଜେଡି ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି । 

ବିଜେଡି ସୁପ୍ରିମୋ  ୨୪ ତାରିଖରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଯୋଗେ ଭୁବନେଶ୍ୱରରୁ ସକାଳ ୯.୩୫ରେ ହିଞ୍ଜିଳି ଅଭିମୁଖେ ବାହାରିବେ । ୧୦.୩୦ରେ ସେଠାରେ ପହଞ୍ଚି ଜନ ସମାବେଶକୁ ସମ୍ବୋଧିତ କରିବେ । ରାଜ୍ୟ ସରକାରଙ୍କ ସଫଳତା ଓ ବିକାଶ ଏଜେଣ୍ଡା କରି ଲୋକଙ୍କୁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ । ସେଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେରଗଡ଼ ଯିବେ । ଦିନ ୧୧.୩୦ରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସଭାସ୍ଥଳକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଭୋଟ୍ ପାଇଁ ନିବେଦନ କରିବେ । ଗଞ୍ଜାମରେ ଦୁଇଟି ସମାବେଶ ପରେ ମୁଖ୍ୟମନ୍ତ୍ରୀ ୧୨.୧୫ରେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଗସ୍ତ କରିବେ ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ୨୫ରେ ଗୁଣୁପୁର ଓ ବିଷମକଟକ ଗସ୍ତରେ କରି ବିଜେଡି ପାଇଁ ଭୋଟ୍ ଭିକ୍ଷା କରିବେ । ସେହିଭଳି ମେ’ ୪ରେ ନବୀନ ରାୟଗଡ଼ା ଗସ୍ତରେ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ପ୍ରଚାରର ଶୁଭ ଦେବା ପରେ ୪ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.