ନିର୍ବାଚନ ସରିବା ପରେ ଏବେ କାଳିଆ ଯୋଜନାକୁ ପିଏମ କିଷାନ ଯୋଜନାରେ ମିଶାଇବା ପାଇଁ ବିଜେଡିର ମସୁଧା, ରାଜ୍ୟ ସଭାରେ ଦାବୀ କଲେ ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର୧୨|୭; ନିର୍ବାଚନ ସରିଲା ସବୁ ଯୋଜନା ସରିଲା । କାଳିଆ ଯୋଜନାକୁ ନିର୍ବାରଚନରେ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରି ଏବେ ସରକାର ଅର୍ଥ ବୋଝ ଉଠାଇବାକୁ ନାରାଜ । କାଳିଆକୁ ପିଏମ କିଶାନ ମିଶାଇବାକୁ ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏପଟେ ବିରୋଧୀ କହିଛନ୍ତି ନିର୍ବାଚନ ପାଇଁ ଥିଲା କାଳିଆ।..

କାଳିଆ – ପିଏମ କିଶାନ ମିଶାଇ ଦିଅ। ସାରା ଦେଶରେ କାଳିଆ ଭଳି ହିଁ ଯୋଜନା ରହୁ । ଆଜି ରାଜ୍ୟ ସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିକଟ​‌ରେ ଏଭଳି ଏକ  ପ୍ରସ୍ତାବ ରଖିଛନ୍ତି। ଆନ୍ଧ୍ର, କଣ୍ର୍ଣାଟକ , ​‌ତେଲଙ୍ଗାନା, ଓ ଓଡିଶା ଭଳି ରାଜ୍ୟରେ କୃଷକଙ୍କୁ ସହାୟତା ପାଇଁ ଯେଉଁ ସବୁ ସ୍କିମ ଚାଲିଛି। ତାକୁ କେନ୍ଦ୍ର ସରକାର ପିଏମ କିଶାନ ଯୋଜନାରେ ସାମିଲ କରନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

କାହିଁକି କାଳିଆ ଓ ପିଏମ କିଶାନକୁ ମିଶାଇ ଦେବାକୁ ବ୍ୟଗ୍ର ବିଜେଡି। ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବଡ ଥୋପ ଦେଇ ସରକାର ଏହାକୁ ଦେଶର ସବୁଠୁ ଭଲ ଯୋଜନା ବୋଲି ଡିଣ୍ତିମ ପଟିଥିଲେ । ପିଏମ କିଶାନ ଯୋଜନାରେ ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ଦବାରେ ଟାଳଟୁଳ ନୀତି ବି ଆପଣାଇଥିଲେ ।  ଏବେ  ନିର୍ବାଚନ ସରିବା ପରେ କଣ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ଆର୍ଥିକ ଭାର ସମ୍ଭାଳିବା ମୁଡରେ ନାହାନ୍ତି? କେନ୍ଦ୍ର ସହ ମିଶି ଏହି ଭାର ଉଠାଇବାକୁ ଯୋଜନା କରୁଛନ୍ତି କି?

ବର୍ଷକୁ ଏହି ଯୋଜନାରେ ଚାଷୀଙ୍କୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା ହୋଇଥିଲା । ଏଥିପାଇଁ ବଜେଟରେ ଅର୍ଥ ବରାଦ ନଥିବାରୁ ଅପାତକାଳୀନ ପାଣ୍ଠିରୁ ଟଙ୍କା ଉଠାଇଥିଲେ ସରକାର। ଯାହାକୁ ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ ଭରଣା କରିବାକୁ ଅନୁମତି ମିଳିଥିଲା। ଆଜି ସଂସଦରେ ଏକଥା ଉଠାଯିବା ପରେ ଜଣାପଡୁଛି ଯେ ରାଜ୍ୟ ସରକାର କାଳିଆ ଯୋଜନାରେ ଆର୍ଥିକ ଭାର ସମ୍ଭାଳିବା ସ୍ଥିତିରେ ନାହାନ୍ତି। ବିରୋଧୀ ଏହାକୁ ଏବେ ଗଣ୍ଠି କରିଛନ୍ତି । କହିଛନ୍ତି ଟଙ୍କିକିଆ ଚାଉଳ ଆମର କହି ବିଜେଡି ଭୋଟ ହାତେଇ ଚାଲିଛି। ଏବେ କାଳିଆ ଯୋଜନାରେ କେନ୍ଦ୍ରୀୟ ସହାୟତା ନେବାକୁ ଫନ୍ଦି ବାହାର କରିଛି।

ଆୟୁଷମାନ ଯୋଜନାକୁ ଲାଗୁ ନକରି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କଲେ।  ନିର୍ବାଚନ ପରେ ଏହାକୁ ଆୟୁଷ୍ମାନ ସହ ଯୋଡିବାକୁ କଥାବାର୍ତ୍ତା ଆରମ୍ଭ ହୋଇଗଲାଣି। ଏବେ ପୁଣି କାଳିଆ ଯୋଜନାକୁ ପିଏମକିଷାନ ମିଶାଇବା କଥା ଉଠିଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.