ଆୟୁଷ୍ମାନ ଯୋଜନା ନେଇ ଘେରିଲା ବିଜେଡି, ଦୁଇ ଯୋଜନାର ତୁଳନାତ୍ମକ ଚିତ୍ର ଦେଲା ଦଳ
2/02/2023 at 3:05 PM

ଭୁବନେଶ୍ୱର ୦୨।୦୨ : ଆୟୁଷ୍ମାନ ଯୋଜନାରେ ବିଜେଡିର ଟାର୍ଗେଟ୍ । ଦୁଇ ଯୋଜନାର ତୁଳନାତ୍ମକ ଚିତ୍ର ଦେଲା ବିଜେଡି। ବିଏସକେୱାଇରେ ୬ ହଜାର କୋଟି ଟଙ୍କା ସ୍ଥାନରେ ଆୟୁଷ୍ମାନରେ ୨୦୦ କୋଟି ବୋଲି ପ୍ରେସମିଟ୍ କରି ଦର୍ଶାଇଛି ବିଜୁ ଜନତା ଦଳ ।
ପ୍ରେସ୍ମିଟ୍ରେ ବିଜେଡି ଆହୁରୀ ମଧ୍ୟ କହିଛି ଯେ, ୨୦୨୩-୨୪ କେନ୍ଦ୍ର ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭ ହଜାର ୨୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳକୁ ବିଚାରକୁ ନେଲେ ପ୍ରତି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଭାଗରେ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କା ପଡିବ । କିନ୍ତୁ ବିଜେଡି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି । ଯାହାକି ଓଡିଶାର ଜିଲ୍ଲା ପିଛା ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା। ତେଣୁ ଓଡିଶାର ଲୋକମାନେ କିଭଳି ସୁବିଧା ପାଇବେ? ଆୟୁଷ୍ମାନରେ ଜଣେ ମହିଳା ମାତ୍ର ୫ ଲକ୍ଷ ଟଙ୍କାର ଚିକିତ୍ସା ପାଇପାରିବେ, ବିଏସକେୱାଇରେ କିନ୍ତୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ପାଇବେ ।
ସେହିପରି ଆୟୁଷ୍ମାନ ଅଧୀନରେ ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀ ୫ ଲକ୍ଷ ଟଙ୍କାର ସୀମା ଅତିକ୍ରମ କରିପାରିବେ ନାହିଁ । କିୁ ବିଏସକେୱାଇରେ ହିତାଧିକାରୀ ୫ ଲକ୍ଷ ସୀମା ଅତିକ୍ରମ କରି ଉପକୃତ ହୋଇପାରିବେ । ତେଣୁ ଓଡିଶା ବିଜେପି ନେତା ଚାହୁଁଛନ୍ତି ସେମାନଙ୍କର ରାଜନୈତିକ ଫାଇଦା ବୋଲି ପ୍ରେସମିଟ କରି କହିଛି ବିଜେଡି।