ବଲାଙ୍ଗୀର, ୧୪/୧୨: କେତେବେଳେ କଲାପତାକା ତ ଆଉ କେତେବେଳେ ଅଣ୍ଡାମାଡ଼। ଯୁଆଡେ ଗଲେ ବିରୋଧର ଶିକାର ହେଲେ ବିଧାୟକ। ଏଭଳି ଘଟଣା ବଲାଙ୍ଗୀର ପୁଇଁନ୍ତଳା ବ୍ଲକରେ ଘଟିଛି। ଗତକାଲି ଲୋଇସିଂହା ବିଧାୟକ ଡ଼. ମୁକେଶ ମହଲିଙ୍ଗଙ୍କ ସହ ଏପରି ଘଟିବା ପରେ ଆଜି ଜିଲ୍ଲା ବିଜେପି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛି। ନିଜ ନିର୍ବାଚନ ମଣ୍ଡଳୀରେ ସୁରକ୍ଷିତ ନଥିବା କହିବା ସହ ୩ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଘଟଣାରେ ଯେପରି ପୂର୍ବରୁ ୩୦୭ ଦଫା ଲଗାଯାଉଥିଲା ସେହିପରି ଏଥିରେ ମଧ୍ୟ ୩୦୭ଦଫା ଲଗାଯାଉ ବୋଲି କର୍ମୀ ଦାବି କରିଛନ୍ତି ।
୪ ଜଣଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଅନ୍ୟମାନଙ୍କୁ ଗିରଫ କରୁ ବୋଲି ଦାବି କରିଛନ୍ତି ବିଧାୟକ ଓ ଜିଲ୍ଲା ବିଜେପି ସଭାପତି । ସେପଟେ ଏହି ଘଟଣାକୁ ନେଇ ପକ୍ଷରଖିଛି ବିଜେଡି । ଆଣ୍ଡାମାଡ଼ ଘଟଣାରେ ତାଙ୍କ କର୍ମୀମାନେ ନ ଥିଲେ । ମିଥ୍ୟା ଅଭିଯୋଗରେ ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଛି ବୋଲି ବିଜେଡିି ପକ୍ଷରୁ କୁହାଯାଇଛିି। ଏନେଇ ପୁଇଁନ୍ତଳା ବ୍ଲକ ବିଜେଡି ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି।
ଏଥିସହ ପେକ୍ସକୁ ଯିବାକୁ ମନା କରିବା ଘଟଣା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି ବିଜେଡି। ସେପଟେ ପୁଇଁନ୍ତଳା ପେକ୍ସର ସଭାପତି ତଥା ଜିଲ୍ଲା ବିଜେଡିର ଉପସଭାପତି ସୁରେଶ ନାଏକ ଏବଂ ବ୍ଲକ ସଭାପତି ବିଷ୍ଣୁ ପଟେଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏହାକୁ ନେଇ ଅଧିକ ତଦନ୍ତ ଜାରିରହିଛି ବୋଲି କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁଶଲ କର।