ସହକାରୀ ଯନ୍ତ୍ରୀ ଓ ବିଧାୟକଙ୍କ ଅଡ଼ିଓ ଭାଇରାଲ ଘଟଣା : ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କଲା ବିଜେଡି, ଦୁର୍ନୀତି ହୋଇଥିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ
9/09/2020 at 10:09 AM

ନୀଳଗିରି ୦୮।୦୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଅଡ଼ିଓ ଭାଇରାଲ ଘଟଣା । ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଗତକାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କୁ ସ୍ପଷ୍ଟୀକରଣ ରଖି ବିକାଶରେ ବାଧା ଦେଉଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଦଳ ପକ୍ଷରୁ ଏକ ପ୍ରେସମିଟ୍ ଜରିଆରେ ଏହା ସୂଚନା ଦିଆଯାଇଛି ।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କୁ ନୀଳଗିରି ବିଧାୟକ ଫୋନ ମାଧ୍ୟମରେ ତାଙ୍କର କଥା ନରଖିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଦୁଇ ପଞ୍ଚାୟତର ଜେଇଙ୍କୁ ନେଇ ଆସିବାକୁ କହିଥିଲେ । ଯଦି ଏଥିରୁ ବିଚ୍ୟୁତ ରୁହ, ତେବେ ତୁମର ଅନିୟମିତତା ପାଇଁ ଭିଜିଲାନ୍ସ କେଶ୍ ନେବା ପାଇଁ ପ୍ରସ୍ତୁତି ରୁହ ବୋଲି କହିଥିଲେ । ଏପରିକି ଅଶାଳୀନ ବକ୍ତବ୍ୟ କହିବା ନେଇ ବିବାଦ ହୋଇଥିଲା । ଏହି ଅଡ଼ିଓଟି ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା ।
ତେବେ ଘଟଣାକୁ ନେଇ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ସ୍ପଷ୍ଟୀକରଣ ରଖିଥିଲେ। ନୀଳଗିରିବାସୀ ତାଙ୍କୁ ଲୋକପ୍ରତିନିଧି ଭାବେ ଦାୟିତ୍ୱ ଦେଇଥିବା ବେଳେ ଲୋକଙ୍କ ସମସ୍ୟାକୁ ସଦାସର୍ବଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିରୋଧୀ ଦଳର ବିଧାୟକ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟର ବାଧା ଦିଆଯାଉଛି । ପରୋକ୍ଷରେ ସେ ଶାସକ ଦଳକୁ ଅଙ୍ଗୁଳି ଉଠାଇଥିଲେ।ସରକାରଙ୍କ ୫ ଟି ଓ ମୋ ସରକାର ଯୋଜନା ଉପରେ ମଧ୍ୟ ଆଙ୍ଗୁଳି ଉଠାଇଥିଲେ। ଘଟଣାକୁ ନେଇ ସେ ଅନୁତପ୍ତ ନୁହନ୍ତି ବୋଲି କହିଥିଲେ।
ଅପରପକ୍ଷେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛି ନୀଳଗିରି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ନୀଳଗିରି ବିଜେଡି ବିଧାୟକ ନେତା ସନ୍ତୋଷ ଖଟୁଆ ବିଧାୟକଙ୍କ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ଶାସକ ଦଳକୁ ଦୋଷ ଦେଇ ନିଜେ ସଫା ହେବାପାଇଁ ଚେଷ୍ଟା କରୁଛନ୍ତି । ଘଟଣାକୁ ନେଇ ପଶ୍ଚାତାପ କରିବା ବଦଳରେ ସରକାରୀ କର୍ମଚାରୀଙ୍କୁ ବ୍ୟବହାର ଖରାପ କରିବା । ସେମାନେ କାର୍ଯ୍ୟ କରିବାରେ ଆନ୍ତରିକତା ପରଖିଲେ , ତାହା ବିକାଶ କାମରେ ବାଧକ ଆସିବ ବୋଲି କୁହାଯାଇଛି।
ଯଦି ଦୁର୍ନୀତି ହେଉଛି ବିଧାୟକ ଭାବେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ବାକ୍ ସଂଯମତା ରକ୍ଷାକରି ସୁସ୍ଥ ବତାବରଣ ସୃଷ୍ଟିକରିବାକୁ ବିଜେଡି ପରାମର୍ଶ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ଉପସଭାପତି ଗତିକୃଷ୍ଣ ନନ୍ଦ,ବ୍ଲକ ସଭାପତି ବିଜୟ ଲେଙ୍କା, ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ସଭାପତି ସବ୍ୟସାଚୀ ମହାପାତ୍ର, ନଗର ଯୁବ ସଭାପତି ଅଭିଷେକ ବେହେରା, ବ୍ଲକ ଅଧ୍ୟକ୍ଷା ଜାନକୀ ସିଂ,ବିଜେଡି ନେତା ଶିଶିର କୁମାର ରାଉତ ଓ ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।