ମାଥିଲି ୦୮/୧୧: ମାଥିଲି ବ୍ଳକ କିଆଙ୍ଗ ଠାରେ ବିଜେଡି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବ୍ଳକର ମାଓପ୍ରବଣ ଭାବେ ପରିଚିତ ଛଅ ଗୋଟି ପଂଚାୟତର ୫୦୦ ରୁ ଉର୍ଦ୍ଧ୍ବ ପରିବାରର ସଦସ୍ୟ ଏହି ସମାବେଶରେ ବିଜେଡିରେ ଯୋଗଦାନ କରିଛନ୍ତି । ମାଲକାନଗିରି କୋରାପୁଟର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଗକୁ ଥିବା ପଂଚାୟତ ନିର୍ବାଚନରେ ସମସ୍ତେ ଦଳ ସାଥିରେ ରହି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ଗୋଟିଏ ମଂଚରେ ଉପସ୍ଥିତ ଥିଲେ ଗତ ସାଧାରଣ ନିର୍ବାଚନର ଦୁଇ ପ୍ରତିଦ୍ବନ୍ଦୀ ତଥା ଦାଦା ଏବଂ ଝିଆରୀ । ଦାଦା ପୂର୍ଣ୍ଣଚନ୍ଦ୍ର ବାକା ବିଜେଡି ତରଫରୁ ଟିକେଟ ପାଇ ବିଜୟୀ ହେବା ସହ ବର୍ତ୍ତମାନ ବିଧାୟକ ଅଛନ୍ତି । ଝିଆରୀ ଲକ୍ଷ୍ମିପ୍ରୀୟା ନାୟକ ବର୍ତ୍ତମାନର ବ୍ଳକ ଅଧ୍ୟକ୍ଷା ଥିବା ସହ କଂଗ୍ରେସରେ ଜିଲ୍ଲା ଯୁବ ସଂଗଠକ ଥିଲେ । ଗତ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ତରଫରୁ ଟିକେଟ ପାଇ ଶ୍ରୀଯୁକ୍ତ ବାକାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଠିଆ ହୋଇ ଅଳ୍ପ ଭୋଟରେ ହାରିଥିଲେ ।
ଗତ ଦୁଇଦିନ ପୂର୍ବେ କଂଗ୍ରେସର ହେଭିଓ୍ବେଟ ନେତା ପ୍ରଦୀପ ମାଝୀ ବିଜେଡିରେ ଯୋଗଦାନ କରିଥିବା ବେଳେ ଲକ୍ଷ୍ମିପ୍ରୀୟା ମଧ୍ୟ ଉକ୍ତ ସମାବେଶରେ ବିଜେଡିରେ ଯୋଗଦେଇଥିଲେ । ଆଗାମୀ ଦିନରେ ଦାଦା ଝିଆରୀ ଦଳକୁ ମଜଭୁତ କରିବା ସହ ପଂଚାୟତ ନିର୍ବାଚନରେ ଏକାଠୀ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଛନ୍ତି ।