ଭୁବନେଶ୍ବର ୨।୬ : ଗଠିତ ହୋଇଛି ବିଜେଡି ସଂସଦୀୟ ଦଳ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଦଳର ନେତା କରାଯାଇଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ମନୋନୀତ କରାଯାଇଛି। ସେହିପରି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ହୋଇଛନ୍ତି ଉପମୁଖ୍ୟ ସଚେତକ। ବିଜେଡିର ନୂଆ ସଂସଦୀୟ ଦଳକୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜି ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ପାରମ୍ପରିକ ହିଞ୍ଜିଳି ନିର୍ବାଚନ ମଣ୍ଡଳିରୁ ବିଧାନସଭାକୁ ପ୍ରତିନିଧିତ୍ବ କରିବେ। ଏ ନେଇ ନବୀନ ତାଙ୍କର ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପଠାଇ ଦେଇଛନ୍ତି।
{"id":118901}ଗତ ସାଧାରଣ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ହିଞ୍ଜିଳି ସହ ବରଗଡ ଜିଲ୍ଲା ବିଜେପୁର ଆସନରୁ ମଧ୍ୟ ପ୍ରତିଦ୍ବନ୍ଦ୍ବୀତା କରିଥିଲେ। ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବଳ ଜନ ସମର୍ଥନ ମିଳିଥିବା ବେଳେ ସେଠାନେ ନବୀନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ଲକ୍ଷାଧିକ ଭୋଟରେ ପରାଜିତ କରିଥିଲେ। ତେବେ ନବୀନ ତାଙ୍କର ୨ଟି ନିର୍ବାଚନମଣ୍ଡଳି ମଧ୍ୟରୁ ଗୋଟିକକୁ ରଖି ପାରିବେ। ଏଣୁ ସେ ବିଜେପୁର ଆସନକୁ ଛାଡିଛନ୍ତି। ଏଣୁ ବିଜେପୁର ବିଧାନସଭା ଆସନ ପାଇଁ ପୁଣି ଥରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି।