'ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ମିଳୁ' : ରାଜ୍ୟସଭାରେ ଦାବି ଜଣାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

Published By : Prameya-News7 Bureau | August 07, 2021 IST

ନୂଆଦିଲ୍ଲୀ ୦୭/୦୮ : ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ମଧ୍ୟରୁ ଓଡିଶା ଅନ୍ୟତମ । ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଥାଏ ଓଡିଶା । କେତେବେଳେ ବାତ୍ୟା ପୁଣି କେବେ ବନ୍ୟା । ଓଡ଼ିଶା ନିୟମିତ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । ଫୋନି, ତିତ୍‌ଲି, ଅମ୍ପାନକ ଭଳି ବାତ୍ୟା ସାଙ୍ଗକୁ ବାରମ୍ବାର ବନ୍ୟା ଯୋଗୁ ଓଡ଼ିଶା ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଥିରେ ପ୍ରଭାବିତ ହେଉଛି ରାଜ୍ୟର ଅର୍ଥନୀତି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ଏଥିପାଇଁ ଓଡ଼ିଶା ଭଳି ରାଜ୍ୟକୁ ଶୀଘ୍ର ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ଘୋଷଣା କରାଯାଉ ।

ଶୁକ୍ରବାର ରାଜ୍ୟସଭାରେ ଏହି ଦାବି ଉଠାଇଥିଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି ଉଠାଇଛନ୍ତି ।
ଏବେ ପୁଣି ଥରେ ବିଜେଡି ଏହି ଦାବିକୁ ସଂସଦରେ ଉଠାଇଛି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସସ୍ମିତ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା
ବିକାଶ ପଥରେ ଆଗେଇଛି । ମାତ୍ର ରାଜ୍ୟକୁ ନିୟମିତ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି । ଏଥିରେ ରାଜ୍ୟର ଅର୍ଥନୀତି, ଭିତ୍ତିଭୂମି ପ୍ରଭାବିତ ହେଉଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ଦିଆଯିବା ସହ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ଅନୁଦାନ ଭାଗିଦାରୀ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଆବଶ୍ୟକ । ବର୍ତ୍ତମାନ ପ୍ରଚଳିତ ଆର୍ଥିକ ଆବଣ୍ଟନରେ ବିଭିନ୍ନ ସରକାରୀ ଯୋଜନା ପାଇଁ ୬୦:୪୦ ଅନୁପାତରେ ଅନୁଦାନ ଖର୍ଚ୍ଚ ହେଉଛି । ଅର୍ଥାତ୍‌ ପ୍ରତି ଯୋଜନା ପାଇଁ କେନ୍ଦ୍ର ୬୦% ଓ ରାଜ୍ୟ ସରକାର ୪୦% ଖର୍ଚ୍ଚ କରିବା ବ୍ୟବସ୍ଥା
ରହିଛି ।

ଯୋଜନା କାର୍ଯ୍ୟକାରୀଜନିତ ପ୍ରଶାସନିକ ଖର୍ଚ୍ଚକୁ ହିସାବକୁ ନେଲେ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଭାର ୫୦% ଛୁଇଁଯାଉଛି । ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାକୁ ପ୍ରଭାବିତ କରୁଛି, ସେତେବେଳେ ଏହି ଆର୍ଥିକ ଭାଗିଦାରୀ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଆବଶ୍ୟକ । କେନ୍ଦ୍ର ୯୦% ଓ ରାଜ୍ୟ ୧୦% ଅନୁଦାନ ବ୍ୟବସ୍ଥା ଲାଗୁ କରିବା ଦରକାର । ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ପର୍ଯ୍ୟନ୍ତ ଏହି ଆର୍ଥିକ ଆବଣ୍ଟନ ପ୍ରକ୍ରିୟାକୁ ଲାଗୁ କରାଯାଉ । ଏଥିରେ ଭିତ୍ତିଭୂମି ବିକାଶ ସହ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ପୁନଃନିର୍ମାଣ କରାଯାଇପାରିବ ।

ସସ୍ମିତ କହିଲେ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡ଼ିଶା ବାରମ୍ବାର ଆର୍ଥିକ କ୍ଷତିର ଶିକାର ହେଉଥିବାରୁ ରାଜ୍ୟକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସେ ଆହୁରି କହିଲେ, କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଦରକାର । ଏହି ଅଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ସହ ଟେଲି ଯୋଗାଯୋଗ ଓ ଇଣ୍ଟରନେଟ ସେବାକୁ ବ୍ୟାପକ କରିବାକୁ
ହେବ । ସେ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ଅନେକ ଥର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ବିଚାର
କରିବା ପାଇଁ ସସ୍ମିତ ଗୃହରେ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.