ମହୁଆଙ୍କ ପୂର୍ବତନ ବନ୍ଧୁ ଜୟ ଅନନ୍ତ ଦେହଦ୍ରାଇଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲେ ବିଜେଡି ସାଂସଦ ପିନାକୀ ମିଶ୍ର

Published By : Prameya-News7 Bureau | April 22, 2024 IST

indiatoday

ନୂଆଦିଲ୍ଲୀ: ଟିଏମ୍‌ସିର ନିଲମ୍ବିତ ସାଂସଦ ମହୁଆ ମୋଇତ୍ରଙ୍କ ମାମଲାରେ ଚର୍ଚ୍ଚାର ପରିସରକୁ ଆସିଥିବା ତାଙ୍କ ପୂର୍ବତନ ଓକିଲ ବନ୍ଧୁ ଜୟ ଅନନ୍ତ ଦେହଦ୍ରାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ବିଜେଡି ସାଂସଦ ପିନାକୀୟ ମିଶ୍ର। ଦେହଦ୍ରାଇଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପିନାକୀ। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଖବର ପ୍ରକାଶ ପାଇଛି।

ଦେହଦ୍ରାଇ ତାଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ପୁରି ସାଂସଦ ପିନାକୀ ଅଭିଯୋଗ କରିଛନ୍ତି। ଏଥିସହିତ ତାଙ୍କୁ 'ଓଡ଼ିଆ ବାବୁ', 'ପୁରୀର ଦଲାଲ' ଏବଂ 'କ୍ୟାନିଂ ଲେନ' ଭଳି ଶବ୍ଦରେ ସମ୍ବୋଧନ କରିଛନ୍ତି ବୋଲି ପିନାକୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। 
ଦେହଦ୍ରାଇଙ୍କର ପୂର୍ବତନ ବାନ୍ଧବୀ ମହୁଆଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିବାରୁ ଏଭଳି ଅଭିଯୋଗ ଲଗାଯାଇଛି ବୋଲି ପିନାକୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦେହଦ୍ରାଇ ତାଙ୍କ ବାନ୍ଧବୀ ମହୁଆଙ୍କ ଠାରୁ ଅଲଗା ହେବା ପରେ ଏକାଧିକ ଦୁର୍ନୀତି ଅଭିଯୋଗ ଲଗାଇଛନ୍ତି। ଯେହେତୁ ମୁଁ ମହୁଆଙ୍କର ଘନିଷ୍ଠ, ତେଣୁ ମୋ ବିରୋଧରେ ମଧ୍ୟ ମିଥ୍ୟା ଦୁର୍ନୀତିର ଅଭିଯୋଗ ଲଗାଯାଇଛି ବୋଲି ପିନାକୀ କୋର୍ଟରେ ଦର୍ଶାଇଛନ୍ତି। 

କେବଳ ସେତିକି ନୁହେଁ, ଦେହଦ୍ରାଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଛଦ୍ମ ନାମରେ ଏକ ଆକାଉଣ୍ଟ ଖୋଲି ପିନାକୀଙ୍କୁ କ୍ୟାନିଂ ଲେନ୍, ଓଡ଼ିଆ ବାବୁ ଆଦି କହି ଅତି ନୀଚ ପୋଷ୍ଟ କରୁଛନ୍ତି ବୋଲି ପିନାକୀ ଅଭିଯୋଗ କରିଛନ୍ତି। ଏହି ଆବେଦନର ଶୁଣାଣି କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ଜଣାପଡ଼ି ନାହିଁ।

ପଢ଼ନ୍ତୁ-ଶିକ୍ଷକ ନିଯୁକ୍ତି ରଦ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ବେଆଇନ କହିଲେ ମମତା, ବିଜେପି ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ
ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଦୁଇଟି ମାନହାନୀ ମକଦ୍ଦମା ଲମ୍ବିତ ରହିଛି। ଗୋଟିଏ ମହୁଆ ଦେହଦ୍ରାଇଙ୍କ ବିରୋଧରେ କରିଥିବା ବେଳେ ଅନ୍ୟଟି ଦେହଦ୍ରାଇ ମହୁଆଙ୍କ ବିରୋଧରେ କରିଛନ୍ତି। ତେବେ ପୂର୍ବରୁ ହାଇକୋର୍ଟ ଦେହଦ୍ରାଇଙ୍କ ଦ୍ୱାରା ଦାୟର କରାଯାଇଥିବା ମାମଲାର ଶୁଣାଣି କରି ଉଭୟ ପକ୍ଷକୁ ତାଗିଦ୍ କରିଥିଲେ। ଯେପର୍ଯ୍ୟନ୍ତ ମହୁଆଙ୍କ ପକ୍ଷରୁ ଲିଖିତ ପ୍ରତିକ୍ରିୟା ଦାଖଲ କରାଯାଇ ନାହିଁ ସେପର୍ଯ୍ୟନ୍ତ ମାମଲାରେ ରାୟ ଦେବାକୁ ଜଷ୍ଟିସ୍ ପ୍ରତୀକ ଜଲାନଙ୍କ ଖଣ୍ଡପୀଠ ମନା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.