ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ

Published By : Prameya-News7 Bureau | April 20, 2019 IST

ଭୁବନେଶ୍ବର ୨୦|୪: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗତକିଛି ଦିନ ଧରି ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। 

ବେଦ ପ୍ରକାଶ ଅଗ୍ରଓ୍ବାଲ ୧୬ ଜାନୁଆରୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପାଟକୁରାରୁ ଦୁଇ ଥର ସେ ବିଧାୟକ ଥିଲେ । ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ  ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ସେ କେନ୍ଦ୍ରାପଡ଼ାରୁ ୪ ଥର ବିଧାୟକ ବି ହୋଇଥିଲେ  । ସେ ଚଳିତ ଥର ବି ପାଟକୁରା  ବିଧାନସଭା ଲାଗି ବିଜେଡି  ଟିକେଟରେ ନିର୍ବାଚନ ଲଢ଼ୁଥିଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ବେଦପ୍ରକାଶ ଅଗ୍ରଓ୍ବାଲ । ସେ ମଧ୍ୟ ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥିଲେ । ସେ ବିଜେଡିର ଇସ୍ତାହାର କମିଟି ଅଧ୍ୟକ୍ଷ ମଧ୍ୟ ଥିଲେ । ଏବେ ତାଙ୍କ ଆକସ୍ମିକ ବିୟୋଗରେ ରାଜନୈତିକ ପ୍ରଭାବ ରହିବ ।

ଚଳିତ ନିର୍ବାଚନରେ ମଧ୍ୟ ସେ ପାଟକୁରାରୁ ଲଢିଥାନ୍ତେ । ସ୍ବାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ପ୍ରକାଶ କରିଥିଲେ । ମାତ୍ର ବିଜେଡି ଦଳ ତରଫରୁ ଯେତେବେଳେ ତାଙ୍କ ନାଁ ଘୋଷଣା କରାଯାଇଥିଲା ସେତେବେଳେ ସେ ଟିକେଟ୍ ନେବାକୁ ଆସିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀ ଏବଂ ପୁଅ ନବୀନ ନିବାସ ଯାଇଥିଲେ ଟିକେଟ୍ ପାଇଁ । ମାତ୍ର ଏସବୁ ଭିତରେ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କୁ ଟିକେଟ୍ ମିଳିଥିଲା । ଅସୁସ୍ଥ ଥିଲେ ମଧ୍ୟ ସେ ବିଜୟୀ ହେବେ ବୋଲି ଆଶା ରଖିଥିଲେ ।

ବେଦ ପ୍ରକାଶଙ୍କ ବିୟୋଗରେ ପାଟକୁରାରେ ଶୋକର ଛାୟା ଖେଳିଯାଇଛି। ବେଦ ପ୍ରକାଶ ଅଗ୍ରୱାଲଙ୍କ ପାର୍ଥିବ ଶରୀରକୁ କେନ୍ଦ୍ରାପଡ଼ାର ପାଟକୁରାକୁ ନିଆଯିବ ଏବଂ ତାପରେ ପୁରୀଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.