ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ, ଏକାମ୍ରରୁ ସଦସ୍ୟ ହେଲେ ନବୀନ

Published By : Prameya-News7 Bureau | September 02, 2019 IST

ଭୁବନେଶ୍ବର ୨୯: ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ । ବିଜେଡି କାର୍ଯ୍ୟାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ତଥା ସୁପ୍ରିମୋ ନବୀନ ପଟ୍ଟନାୟକ।  ମୁଖ୍ୟମନ୍ତ୍ରୀ ଏକାମ୍ରରୁ ସଦସ୍ୟ ହୋଇଛନ୍ତି । ୨୪ଜଣଙ୍କୁ ପ୍ରାଥମିକ ସଦସ୍ୟ କରାଇ ସକ୍ରିୟ ସଦସ୍ୟ ହୋଇଛନ୍ତି ନବୀନ ।

କାଲି ଢେଙ୍କାନାଳ ଓ ବାଲେଶ୍ବରରେ ଏହି ଅଭିଯାନ ଆରମ୍ଭ ହେବ । ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେଡି ସରକାର ସାଙ୍ଗଠନିକ ସ୍ତରକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଟ୍ରାନ୍ସପେରେନ୍ସି , ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍ ଓ ଟ୍ରାନ୍ସଫରମେସନ ଏହି ୫ଟି ଆକ୍ସନ ପ୍ଲାନକୁ ନେଇ ଏହି ଅଭିଯାନ କାର୍ଯ୍ୟକାରୀ ହେବ । ଅନଲାଇନରେ ସଭ୍ୟ ସଂଗ୍ରହ କରିବ ଦଳ । ଯିଏ ନୂଆ ସଭ୍ୟ ହେବ ତାଙ୍କର ଅଧାର କାର୍ଡ ନମ୍ବର ଲିଙ୍କ୍ କରିବେ ।

ସଭ୍ୟ ସଂଗ୍ରହରେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଦଳର ସମ୍ପୃକ୍ତ ସଭ୍ୟଙ୍କୁ ସରକାରୀ ଯୋଜନାରୁ ସୁବିଧା ମିଳୁଛି କି ନାହିଁ ତାହା ଜଣାପଡ଼ିବ।ବିଜେଡିର ସଭ୍ୟ ସଂଗ୍ରହର ସମସ୍ତ ତଥ୍ୟ ଦଳର ୱେବସାଇଟରେ ଉପଲବ୍ଧ ହେବ। ତା’ଛଡ଼ା ଅନଲାଇନରେ ମଧ୍ୟ ବିଜେଡି ୱେବସାଇଟକୁ ଯାଇ ଜଣେ ଦଳର ସଭ୍ୟ ହୋଇପାରିବ। ଏଥିପାଇଁ ୱେବେବ୍ସାଇଟ www.joinbjd.com ପ୍ରସ୍ତୁତ କରିଛି ବିଜେଡି।

ଦଳର ଏବେ ପ୍ରାୟ ୪୭ଲକ୍ଷ ସଭ୍ୟ ଥିବାବେଳେ ୭୦ ଲକ୍ଷରୁ ଅଧିକ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ୧୫ ଦିନରେ ଥରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ଏହି ଅଭିଯାନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.