ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା, ବିଜେଡିରୁ ମୟୁରଭଞ୍ଜ ଜିଲ୍ଲା ସଂପାଦକ ନିଲମ୍ବିତ
6/03/2023 at 4:03 PM

ଉଦଳା ୬।୩: ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ନିଲମ୍ବିତ ହେଲେ ବିଜେଡିର ଜିଲ୍ଲା ସଂପାଦକ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୟୂରଭଞ୍ଜ-୨ ବିଜେଡିର ସଂପାଦକ ପ୍ରବୀର ଚନ୍ଦ୍ର ସାଏ । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏକ ନିଲମ୍ବନ ଅର୍ଡର ତାଙ୍କ ନିକଟକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ, ରବିବାର ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉଦଳାଠାରେ ପାଳନ ହୋଇଥିବା ବେଳେ ସେଠାରେ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଏ ଉପସ୍ଥିତ ଥିଲେ । ହେଲେ ରବିବାର ହିଁ ତାଙ୍କୁ ନିଲମ୍ବିତ କରାଯାଇଥିବା ଚିଠିରୁ ଜଣାପଡିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଡର ହୋଇଛି । ତେବେ ଜିଲ୍ଲା ସଂପାଦକ କଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହା ପୁରା ସ୍ପଷ୍ଟ ହୋଇ ନଥିବା ବେଳେ 5-T ସଚିବଙ୍କ ଗସ୍ତ ସମୟରେ ବାରିପଦାଠାରେ ଦଳର ସାଙ୍ଗଠନିକ ସଂପାଦକ ଏବଂ ବାରିପଦାର କିଛି ପୁରୁଖା ନେତାଙ୍କ ସହିତ କୌଣସି ଏକ ଘଟଣାକୁ ନେଇ କଥା କଟାକଟି ହେବାରୁ ଏହା ତାହାର ପରିଣାମ ବୋଲି କୁହାଯାଉଛି ।